ସଂସ୍କାର : ଆସନ୍ତାକାଲି ଉତ୍ତର ବଙ୍ଗୋପସାଗରର ପୂର୍ବ ଭାଗରେ ଏକ ଲଘୁଚାପ ସୃଷ୍ଟି ହେବ । ଯାହା ଫଳରେ ରାଜ୍ୟର ଅନେକାଂଶରେ ପ୍ରବଳ ବର୍ଷା ହେବ। ଏହି ଲଘୁଚାପ ବଳୟ ଆସନ୍ତା ୧୧ ତାରିଖରେ ପୂର୍ଣ୍ଣ ଲଘୁଚାପରେ ପରିଣତ ହେବ। ତେବେ ଏହି ଲଘୁଚାପ ଆସନ୍ତା ୧୩ ତାରିଖ କିମ୍ବା ୧୪ ତାରିଖ ସକାଳେ ଦକ୍ଷିଣ ଓଡ଼ିଶା ଉପକୂଳ ଓ ଉତ୍ତର ଆନ୍ଧ୍ର ଉପକୂଳ ହୋଇ ପଶ୍ଚିମକୁ ଗତି କରିବ । ଯାହାର ପ୍ରଭାବରେ ଆସନ୍ତାକାଲି ଅର୍ଥାତ ୧୦ ତାରିଖରୁ ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପୂର୍ବାନୁମାନ କରି କହିଛନ୍ତି ଯେ ଲଘୁଚାପ ୧୩ ତାରିଖ ରାତି କିମ୍ବା ୧୪ ତାରିଖ ସକାଳେ ଦକ୍ଷିଣ ଓଡ଼ିଶା ଉପକୂଳ ଓ ସଂଲଗ୍ନ ଉତ୍ତର ଆନ୍ଧ୍ର ଉପକୂଳ ଦେଇ ପଶ୍ଚିମକୁ ଗତି କରିବ । ଏହାରି ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି ଓ ଆଭ୍ୟନ୍ତରୀଣ ଗଞ୍ଜାମରେ ସପ୍ତାହକ ଭିତରେ ସମୁଦାୟ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ । ପବନର ବେଗ ଘଣ୍ଟାପ୍ରତି ୫୦ ରୁ ୬୦ କିମି ରହିବ।
ବାଲେଶ୍ୱର ଓ ସମୁଦ୍ର ସଂଲଗ୍ନ ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ୧୪ ତାରିଖ ଭିତରେ ୯୦ ମିଲିମିଟର ଏବଂ ଖୋର୍ଦ୍ଧା ସମେତ ଅନ୍ୟାନ୍ୟ ଜିଲ୍ଲାରେ ୬୦ରୁ ୭୦ ମିଲିମିଟର ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଆଭ୍ୟନ୍ତରୀଣରେ ସବୁଠାରୁ କମ ବର୍ଷା ହେବ । ଆନ୍ଧ୍ର, ତେଲଙ୍ଗାନା ଓ ଦକ୍ଷିଣ ଛତିଶଗଡ଼ରେ ଏକ ଲଘୁଚାପ ଦ୍ୱାରା ଅତି ପ୍ରବଳ ବର୍ଷା ହେବ ବୋଲି ପ୍ରଫେସର ସୁରେନ୍ଦ୍ରନାଥ ଆକଳନ କରିଛନ୍ତି । କୃଷକମାନେ ବର୍ଷାର ଆକଳନ ହେତୁ ୧୦ରୁ ୧୪ ତାରିଖ ଭିତରେ ସାର ପ୍ରୟୋଗ ନକରିବାକୁ ସେ ପରାମର୍ଶ ଦେଇଛନ୍ତି। ଅପରପକ୍ଷେ, ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି, ଗୁରୁବାର ରାଜ୍ୟରେ ହାଲୁକା ବର୍ଷା ହେବ । କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଲଘୁଚାପ ପାଇଁ ୧୧ରୁ ବର୍ଷା ବଢ଼ିବ ବୋଲି ସେ ଆକଳନ କରିଛନ୍ତି ।