ବାପ ସାଜିଲା କୃର କଂସ : ପତ୍ନୀ ୫ ଟଙ୍କା ମାଗିବାରୁ, ଦେଢ ମାସର ଝିଅକୁ ବାପା କାନ୍ଥରେ କଚାଡ଼ି ମାରିଦେଲା

ରାଗ ବ୍ରହ୍ମ ଚଣ୍ଡାଳ ଏବଂ ନିଶା ନର୍କର ଦ୍ଵାର । ସେହିପରି ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି ମହାରାଷ୍ଟ୍ର ଗୋଦିଁଆ ଜିଲ୍ଲାରୁ । ଏଠାରେ ଜଣେ ୨୮ ବର୍ଷୀୟ ବ୍ୟକ୍ତି ମାତ୍ର ୫ ଟଙ୍କା ପାଇଁ ନିଜର ଦେଢ ମାସର ଝିଅକୁ କାନ୍ଥରେ କଚାଡ଼ି ମାରିଦେଇଛି । ପତ୍ନୀର ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ସ୍ଥାନୀୟ ପୋଲିସ ।

ମିଳିଥିବା ଖବର ଅନୁଯାୟୀ ଘଟଣାଟି ଏହିପରି । ଗୋଦିଆଁ ଜିଲ୍ଲାର ଲୋନାର ଗାଁରେ ବିବେକ ନାମକ ବ୍ୟକ୍ତି ନିଜ ପତ୍ନୀ ଏବଂ ଦେଢ ମାସର ଝିଅ ବୈଷ୍ଣବୀ ସାଙ୍ଗରେ ରହୁଥିଲେ । ମଙ୍ଗଳବାର ଦିନ ସନ୍ଧ୍ୟାରେ ବିବେକ କାମରୁ ଘରକୁ ଫେରିଥାଏ ଏବଂ ଠିକ୍ ସେତିକିବେଳେ ଝିଅ ବୈଷ୍ଣବୀ କାନ୍ଦୁଥାଏ । ଝିଅ ପାଇଁ ମିଠା କିଣିବାକୁ ପତ୍ନୀ ମାଗିଦେଲେ ୫ଟଙ୍କା । ହେଲେ ବିବେକ‌ ମନା କରି ଦେଇଥିଲା, ଯାହାପରେ ଦୁହିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ମାତ୍ର ସ୍ଵାମୀ-ସ୍ତ୍ରୀ ବିବାଦ ସେଇଠି ସରି ନଥିଲା । ଝିଅ ବୈଷ୍ଣବୀର କାନ୍ଦ ବନ୍ଦ ହେଉ ନଥିବା ବେଳେ ବିବେକ ରାଗି ପଞ୍ଚମ ଥିଲା । ଏ ସମୟରେ ସେ ନିଜର ଦେଢ ମାସର ଝିଅକୁ ଧରି ଘର ବାହାରେ ଥିବା କାନ୍ଥରେ କଚାଡ଼ି ଦେଇଥିଲା ।ଏହାପରେ ପୁଣିଥରେ ଦୁଆର ବନ୍ଧରେ କଚାଡ଼ି ଦେଲା । ବୈଷ୍ଣବୀ ଦେହରୁ ପ୍ରବଳ ମାତ୍ରରେ ରକ୍ତସ୍ରାବ ହେଲା ଓ ସେପଟେ ପତ୍ନୀକୁ ବି ମାରିବାକୁ ଉଦ୍ୟମ କଲା ବିବେକ ।

କୌଣସିମତେ ନିଜର ପ୍ରାଣ ବଞ୍ଚାଇ ପତ୍ନୀ ଜଣଙ୍କ ଦୌଡ଼ି ଦୌଡ଼ି ଯାଇ ପହଞ୍ଚିଥିଲେ ଥାନାରେ । ସମସ୍ତ ଘଟଣା ପୋଲିସ ଆଗରେ କହିଲାପରେ ତୁରନ୍ତ ପଦକ୍ଷେପ ନେଇ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ରକ୍ତାକ୍ତ ଶିଶୁକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା ପୋଲିସ ମାତ୍ର ସେତେବେଳକୁ ଶିଶୁଟି ସବୁଦିନ ପାଇଁ ସ୍ଥିର ନିଶ୍ଚଳ ହୋଇସାରିଥିଲା ।

ତେବେ ବିବେକ ୨୦୧୮ରେ ବିବାହ କରିଥିଲେ ହେଲେ ପ୍ରତିଦିନ ପ୍ରବଳ ମାତ୍ରରେ ମଦ ପିଉଥିବା ଯୋଗୁ ପରିବାରରେ ପାଟିତୁଣ୍ଡ ଲାଗି ରହିଥାଏ । ଏମିତିକି ବିବାହର କିଛି ଦିନ ପରେ ଦୁହେଁ ସ୍ୱାମୀ-ସ୍ତ୍ରୀ ଅଲଗା ରହିଥିଲେ । ହେଲେ ପୁଣି ହାର କିଛି ଦିନ ପରେ ଉଭୟେ ଏକାଠି ରହି ଆସୁଥିଲେ ।

Leave a Reply

Your email address will not be published. Required fields are marked *