ସୋସିଆଲ ମିଡ଼ିଆରେ ନାନା ବିଷୟବସ୍ତୁକୁ ନେଇ ସବୁବେଳେ ଚର୍ଚ୍ଚା ହେଉଥାଏ । ମାତ୍ର ଏବେ ଯେଉଁ ଚର୍ଚ୍ଚା ଜୋର ଧରିଛି ତାହା ଜାଣିଲେ ଯେକେହି ଆଚମ୍ବିତ ହେବା ସହିତ ଭୟଭୀତ ବି ହୋଇଯିବେ । ତେବେ ନିକଟରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଜଣେ ୪୩ ବର୍ଷୀୟ ବ୍ୟକ୍ତି ଫେସବୁକ୍ରେ ଲେଖିଛନ୍ତି ଯେ ‘ମୋତେ ୫ କୋଟି ଦେଲେ ମୁଁ ମୋଦିଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ।’
ତେବେ ସୂଚନା ଅନୁସାରେ ଏହି ଅପରାଧିକ ପୋଷ୍ଟ କରିଥିବା ଅଭିଯୁକ୍ତ ଠିକାଦାରକୁ ପୁଡୁଚେରୀ ପୋଲିସ ଗିରଫ କରିଛି ଏବଂ କୋର୍ଟ ଚାଲାଣ କରିଛି । ‘ସତ୍ୟା ସତ୍ୟା’ ନାଁରେ ବ୍ୟକ୍ତି ଜଣକ ଏହି ପୋଷ୍ଟ କରିଥିବା ବେଳେ ଏହା ଭାଇରାଲ ହୋଇଥିଲା । ଭାଇରାଲ ହେବାପରେ ଜଣେ କାର ଡ୍ରାଇଭରଙ୍କ ନଜରରେ ପୋଷ୍ଟଟି ପଡ଼ିଥିଲା ଯାହାପରେ ସେ ଯାଇ ଥାନାରେ ଅଭିଯୋଗ କରିଥିଲେ ଏବଂ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲେ ।
ପୋଷ୍ଟଟି ଗୁରୁବାର ଦିନ ଫେସବୁକ୍ରେ ଦିଆଯାଇଥିଲା ବେଳେ ଏଥିରେ ଲେଖାଥିଲା ଯେ ‘ମୋତେ ୫ କୋଟି ଦେଲେ ମୁଁ ମୋଦିଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ।’ ଆକାଉଣ୍ଟ ଟ୍ରେସ କରି ଶେଷରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ସୂଚନାଥାଉ ଯେ ଅଭିଯୁକ୍ତ ସତ୍ୟାନନ୍ଦମ ଅରନ୍ୟକୂପମ ଗାଁର ବାସିନ୍ଦା । ଅଭିଯୁକ୍ତ ବିରୋଧରେ ଆଇପିସି ୫୦୫(୧) ଏବଂ ୫୦୫ (୨) ଧାରା ଅଧିନରେ ମାମଲା ରୁଜୁ ହୋଇଥିବା ବେଳେ ଦଙ୍ଗା ସୃଷ୍ଟି କରିବାକୁ ଚାହୁଁଥିବା ଅଭିଯୋଗରେ ପୋଲିସ ତାକୁ ଗିରଫ କରିଥିଲା ।