ମଣ୍ଡପ ସଜା ହେଲା,ବର-କନିଆଁ ପ୍ରସ୍ତୁତ ହେଲେ,ପଣ୍ଡିତ ମନ୍ତ୍ର ପଢ଼ିଲେ, ନାଚଗୀତ ତାଳରେ ବନ୍ଧୁବାନ୍ଧବ ଏବଂ ସମ୍ପର୍କୀୟଙ୍କ ସମାବେଶରେ ବାହାଘର ସମାପନ ହେଲା । ଆପଣ ପଚାରିବେ ଏଥିରେ ନୂଆ କଣ, ଆଶ୍ଚର୍ଯ୍ୟ ହେବାର କଣ ଅଛି ? ଉତ୍ତରପ୍ରଦେଶର ପ୍ରୟାଗରାଜ ସହରରୁ ପ୍ରାୟ ୩୦ କିଲୋମିଟର ଦୂର ଘୂରପୂର ଅଞ୍ଚଳର ଭୈଦପୁର ଗାଁର ଘାତିଯାଇଛି ଏ ଘଟଣା ଯେଉଁଠି ସୁପରହିଟ୍ ଫିଲ୍ମ ଓମକାରାର ସୁଟିଂ ହୋଇଥିଲା ।
ଆଶ୍ଚର୍ଯ୍ୟ ନୂଆ କଥା ହେଉଛି ଯେ ଏହି ବିବାହରେ କନିଆଁ ଜଣକ ନା ମହିଳା ଥିଲେ ନା ଜଣେ ପୁରୁଷ । ୩୨ ବର୍ଷୀୟ ବର ବିବାହ କଲେ କାଠ ଏବଂ କାଗଜରେ ପ୍ରସ୍ତୁତ କରାଯାଇଯାଇଥିବା ଏକ କଣ୍ଢେଇକୁ ଏବଂ ବିବାହ ପରେ ଉକ୍ତ କଣ୍ଡେଇଟିକୁ ପୋଖରୀରେ ବିସର୍ଜନ କରି ଦିଆଯାଇଥିଲା ।

ମଙ୍ଗଳବାର ଦିନ ସଞ୍ଜରେ ରେଲଓ୍ବେର ଅବସରପ୍ରାପ୍ତ କର୍ମଚାରୀ ଶିବମୋହନ ପାଲଙ୍କ ୮ମ ପୁଅ ପଞ୍ଚରାଜ ବିବାହ ସମ୍ପନ୍ନ ହେଇଯାଇଛି । ଭୋଜି ପାଇଁ ଟେଣ୍ଟ ବ୍ୟବସ୍ଥାଠୁ ଆରମ୍ଭ କରି ଅତିଥିଙ୍କ ଖାଇବା ପାଇଁ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ ହେବା ଓ ଭୋଜି ପରେ ପୁଣି ଥରେ ନାଚ-ଗୀତର ଆସର ବିଳମ୍ବିତ ରାତି ଯାଏଁ ଜମିଥିଲା ।
୯୦ ବର୍ଷୀୟ ଶିବମୋହନଙ୍କ ଶିକ୍ଷାଗତ ଯୋଗ୍ୟତା ମାଷ୍ଟର ଡିଗ୍ରୀ, ସରକାରୀ ଚାକିରି । ତାଙ୍କର ୯ଟା ପୁଅ ଓ ୩ଟି ଝିଅ । ପିଲାମାନଙ୍କ ପାଠପଢାରେ ବି ସେ ଆଦୌ ଅବହେଳା କରି ନଥିଲେ । ଏମିତିକି ସବୁ ପିଲାଙ୍କ ବିବାହ ଠିକ୍ ସମୟରେ କରାଇ ଦେଇଥିଲେ । କିନ୍ତୁ ୮ ନମ୍ବର ପୁଅ ପଞ୍ଚରାଜ ବାପାଙ୍କ ଶତଚେଷ୍ଟା ପରେ ବି ସ୍କୁଲ୍ ମାଟି ମାଡ଼ି ନଥିଲେ । ଅପାଠୁଆ ହେବା ଯୋଗୁଁ ବର୍ତ୍ତମାନ ସେ ବେରୋଜଗାର । ପଞ୍ଚରାଜଙ୍କ ଅବାଧ୍ୟ ଏବଂ ଦାୟିତ୍ଵହୀନତା ଯୋଗୁଁ ଶିବମୋହନ ତାଙ୍କୁ ବିବାହ ନକରାଇବାକୁ ନିଷ୍ପତ୍ତି ନେଇଥିଲେ ।
ଯେତେହେଲେ ଜଣେ ଶିକ୍ଷିତ ଓ କର୍ତ୍ତବ୍ୟ ପରାୟଣ ବାପା ହିସାବରେ ସେ ନିଜ କୂଳାଙ୍ଗାର ପୁଅ ଅପେକ୍ଷା ଗୋଟେ ଝିଅର ଜୀବନ କୁ ଅଧିକ ଗୁରୁତ୍ଵ ଦେଇଥିଲେ ଓ ତାଙ୍କ ମତରେ ପଞ୍ଚରାଜଙ୍କୁ ବାହା ହେଇ କେହି ଝିଅ ଖୁସିରେ ରହିପାରିବେ ନାହିଁ । କୌଣସି ଝିଅର ଜୀବନ ନଷ୍ଟ କରିବାକୁ ଚାହୁଁ ନଥିଲେ ତେଣୁ ଏ ବିବାହ ନିଆରା । ଶେଷରେ ପୁଅକୁ ବାହା ଦେଲେ ଗୋଟେ କଣ୍ଢେଇ ସହିତ । ଶିବମୋହନଙ୍କ ଏ ନିଷ୍ପତ୍ତି ସତରେ ସ୍ଵାର୍ଥପର ସମାଜ ପାଇଁ ଉଚିତ୍ ଶିକ୍ଷା ଓ ପରାମର୍ଶର ନଜିର ।