ନିଶା ଦ୍ରବ୍ୟ ଯୋଗୁ ଲକ୍ଷ ଲକ୍ଷ ପରିବାର ଉଜୁଡ଼ିଛି, ଉଜୁଡୁଛି ମଧ୍ୟ । ନାନା ଦୁର୍ଘଟଣା ଘଟି ଜୀବନହାନୀ ମଧ୍ୟ ହେଉଛି କେତେକଙ୍କ ନିଶା ଦ୍ରବ୍ୟ ସେବନ ଅଭ୍ଯାସ ଯୋଗୁ । ସେହିପରି ମିରଟର ହସ୍ତିନାପୁର ସ୍ଥିତ ଗଣେଶପୁରରୁ ଆସିଛି ଚକିତ କଲାଭଳି ଏକ ଖବର । ପତ୍ନୀ ଜଣକ ତାଙ୍କ ସ୍ୱାମୀଙ୍କୁ ପାନମସଲା ଖାଇବାକୁ ଅଟକାଇବାରୁ ଘଟିଛି ଅନର୍ଥ । ପତ୍ନୀଙ୍କ ଆକଟରେ ଯୁବକ ଜଣକ ରାଗିଯାଇ ବନ୍ଧୁକରେ ଗୁଳି କରି ଦେଇଛନ୍ତି ତାଙ୍କ ପତ୍ନୀକୁ ।
ସୂଚନା ଅନୁଯାୟୀ ଗଣେଶପୁର ବାସିନ୍ଦା ଲୋକେଶ ମିରଟର ଲାଲସିଂହ ନଗର ବାସିନ୍ଦା ରଣବୀର ସିଂହଙ୍କ ଝିଅ କାଜଲଙ୍କୁ ବିବାହ କରିଥିଲେ ଏଇ ମାତ୍ର ୬ ମାସ ତଳେ । ପରିବାର ଲୋକଙ୍କ କହିବାନୁସାରେ ଉଭୟ ଖୁସି ବି ଥିଲେ ଉଭୟଙ୍କୁ ନେଇ । ଘଟଣା ପରେ କିନ୍ତୁ ପୀଡ଼ିତାଙ୍କ ବାପା କହିଛନ୍ତି ଯେ ଝିଅ ଗୁରୁତର ଥିବାରୁ ତାକୁ ସେ ମିରଟର ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି । ଏହାସହିତ ଅଭିଯୁକ୍ତ ଜ୍ଵାଇଁଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରିଛନ୍ତି ।
ପୋଲିସ ସୂତ୍ରରୁ ପ୍ରକାଶ ଯେ ଘଟଣା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ମହିଳାଙ୍କୁ ପ୍ରଥମେ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ହେଲେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ବେଶୀ ବିଗିଡ଼ି ଥିଲା ଓ ପରେ ତାଙ୍କୁ ମିରଟ ହସ୍ପିଟାଲକୁ ରେଫର କରି ଦିଆଗଲା । ଏହା ସହିତ ଅଭିଯୁକ୍ତ ସ୍ଵାମୀଙ୍କୁ ଗିରଫ କରାଯାଇଥିବାବେଳେ ଘଟଣାରେ ବ୍ୟବହୃତ ହୋଇଥିବା ବନ୍ଧୁକକୁ ମଧ୍ୟ ଜବତ କରାଯାଇଛି ।