ସଂସ୍କାର : ଦିନ ଅଧରେ ଗୋଡ଼ାଇ ଗୋଡ଼ାଇ ପଞ୍ଚାୟତ ଅଧିକାରୀଙ୍କୁ ଜୀବନରୁ ମାରିଦେଲେ ଶଶୁର ଘର ଲୋକେ। ଏଭଳି ଏକ ହତ୍ୟା ମାମଲା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶରୁ।
ଗତ ଜୁଲାଇ ମାସ ୨୪ ତାରିଖ ଦିନ ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଯୁବକଙ୍କ ନାମ ଅନିଶ କୁମାର ଚୌଧୁରୀ। ଅନିଶ ତିନି ମାସ ପୂର୍ବରୁ ଜଣେ ବ୍ରାହ୍ମଣ ଝିଅକୁ ପ୍ରେମ ବିବାହ କରିଥିଲେ। ଆଉ ତାଙ୍କ ପ୍ରେମର ଘର ଲୋକେ ହିଁ ଅନିଶ ପାଇଁ କାଳ ହେଲେ। ୨୦୧୭ ମସିହାରୁ ଅନିଶ୍ ଜଣେ ବ୍ରାହ୍ମଣ ଝିଅକୁ ଭଲ ପାଇ ବସିଥିଲେ। ସେ ଝିଅର ନାମ ଥିଲା ଦୀପ୍ତି ମିଶ୍ର। ଆଉ ସମୟକ୍ରମେ ଦୀପ୍ତି ମଧ୍ୟ ଅନିଶଙ୍କୁ ପସନ୍ଦ କରିବାକୁ ଲାଗିଲେ। କିନ୍ତୁ ସେମାନଙ୍କର ପ୍ରେମକୁ ସହମତି ଦେଲେନି ଦୀପ୍ତିଙ୍କ ପରିବାର ଲୋକ। ତେଣୁ ସେମାନେ ଫେରାର ହୋଇ କୋର୍ଟ ମ୍ୟାରେଜ କରିନେଲେ।

ତେବେ ଘଟଣାକ୍ରମ ଏହା ଯେ, ପ୍ରାୟ ତିନି ବର୍ଷ ଧରି ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହେଉଥିବା ପ୍ରେମ କାହାଣୀ ଗତ ଜୁଲାଇ ୨୪ ତାରିଖରେ ଶେଷ ହୋଇଯାଇଛି। ବହୁ ବାଦ ବିବାଦ ଓ ପରିଶ୍ରମ ପରେ ଅନିଶ୍ ଓ ଦୀପ୍ତି ପରସ୍ପରର ହାତ ଧରି ତିନିମାସ ପୂର୍ବରୁ ବିବାହ କରିଥିଲେ। ୨୦୨୦ ମସିହାରେ ସେମାନେ ଯେତେବେଳେ ଉଭୟ ଘରୁ ପଳାଇ ଯାଇଥିଲେ, ଝିଅର ପରିବାର ସଦସ୍ୟ ଅପହରଣ ମାମଲା ଦାୟର କରିଥିଲେ। କିନ୍ତୁ ପୋଲିସ ଥାନାରେ ଘର ଲୋକ ପହଂଚିବା ପରେ , ଅନିଶ୍ ଓ ଦୀପ୍ତି ସୋସିଆଲ ମିଡିଆରେ ଉଭୟଙ୍କ କୋର୍ଟ ମ୍ୟାରେଜର ଭିଡିଓ ଭାଇରାଲ କରିଥିଲେ। ଏହି ଭିଡ଼ିଓ ବିଷୟରେ ଅବଗତ ହେବା ପରେ ପୋଲିସ ମାମଲାକୁ ବନ୍ଦ କରିଦେଇଥିଲା।

ଆଉ ଅନିଶ୍ ଓ ଦୀପ୍ତିଙ୍କୁ ଆଣି ବଡ଼ ଧୁମଧାମରେ ପାରମ୍ପରିକ ରୀତିନୀତିରେ ବିବାହ କରିଥିଲେ ଦୁହିଁଙ୍କ ଘର ଲୋକେ। ତେବେ ଅନିଶ୍ ଏବଂ ଦୀପ୍ତି ପଣ୍ଡିତ ଦେନ୍ ଦିନଲ ଉପାଧ୍ୟାୟ ବିଶ୍ୱବିଦ୍ୟାଳୟ ଗୋରଖପୁରରୁ ସ୍ନାତକୋତ୍ତର କରିଥିଲେ। କ୍ୟାମ୍ପସରେ ଗ୍ରାମ ପଞ୍ଚାୟତ ଅଧିକାରୀ ପଦ ପାଇଁ ଅନିଶ ଏବଂ ଦୀପ୍ତିଙ୍କୁ ମନୋନୀତ କରାଯାଇଥିଲା। ଦୀପ୍ତି କହିଛନ୍ତି ଯେ ଚାକିରି ପାଇବା ପରେ ଅନିଶଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ୯ ଫେବୃଆରୀ ୨୦୧୭ ମସିହାରେ ଗୋରଖପୁରର ବିକାଶ ଭବନରେ ହୋଇଥିଲା। ସମାନ ପଦବୀରେ ମନୋନୀତ ହେବା ପରେ ବିଶ୍ୱବିଦ୍ୟାଳୟ ପରିସରରୁ ସଭା କାର୍ଯ୍ୟରେ ଯୋଗ ଦେଉଥିଲେ ଦୁହେଁ। ଆଉ ସେ ସମୟରେ ହିଁ ଦୁହେଁ ନିକଟତର ହୋଇଥିଲେ।
ତେବେ ଅନିଶଙ୍କ ମୃତ୍ୟୁ ପଛରେ ତାଙ୍କ ଶଶୁର ଘରର ହାତ ରହିଛି। ପତ୍ନୀ ଦୀପ୍ତି ମିଶ୍ର ନିଜ ପରିବାର ସଦସ୍ୟଙ୍କ ନାମରେ ହତ୍ୟା ଅଭିଯୋଗ କରିଛନ୍ତି। ଏହି ମାମଲାରେ 17 ଜଣଙ୍କୁ ପୋଲିସ ଗିରଫ କରିଛି।