ସଂସ୍କାର : ରାଜନୀତି। ରାଜନୀତି ଏମିତି ଏକ କାମ, ଯେଉଁକାର୍ଯ୍ୟରେ ଅତି ଘନିଷ୍ଠ ମିତ୍ର ବି ଶତ୍ରୁ ପାଲଟିଯାଉଛି ଆଉ ଅନ୍ୟପଟେ ପରମ ଶତ୍ରୁ ବି ବେଳେବେଳେ ମିତ୍ର ହୋଇଯାଉଛି। ଆଜି ପର୍ଯ୍ୟନ୍ତ କେହି ବି ରାଜନୀତିର ପଶା ପାଲିକୁ ବୁଝିପାରନ୍ତି ନାହିଁ। ସାଧାରଣ ଲୋକଙ୍କ ପାଇଁ ତ ରାଜନୀତିକୁ ବୁଝିବା ସମୁଦ୍ରରେ ସଂକ୍ଷେପରିର କଥା। ରାଜନୀତିରର କିଏ କେତେ ବେଳେ ମିତ୍ର ହୋଇ ଯାଆନ୍ତି ତ ନିବିଡ ବନ୍ଧୁ ମଧ୍ୟ ଶତ୍ରୁ ପାଲଟି ଯାଆନ୍ତି। ତେବେ ଆପଣ କେବେ ଭାବିଛନ୍ତି କି ଦେଶର ସବୁଠୁ ଦୁଇ ବଡ ପ୍ରତିଦ୍ଵନ୍ଦ୍ଵୀ ରାଜନୈତିକ ଦଳ କଂଗ୍ରେସ ଏବଂ ବିଜେପି ଏକାଠି ମେଣ୍ଟ କରି ସରକାର ଚଳାଇବେ ?
ଆଜ୍ଞା ହଁ, ଏମିତି ଏକ ବିରଳ ଚିତ୍ର ବର୍ତ୍ତମାନ ସାମ୍ନାକୁ ଆସିଛି। ଆଉ ଯାହା ବର୍ତ୍ତମାନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏମିତି ବିରଳ ରାଜନୈତିକ ଘଟଣା ମେଘାଳୟରେ ଦେଖିବାକୁ ମିଳିଛି। ଦୁଇ ପ୍ରତିଦ୍ଵନ୍ଦ୍ଵୀ କଂଗ୍ରେସ ଓ ବିଜେପି ମେଘାଳୟରେ ବର୍ତ୍ତମାନ ଗୋଟିଏ ମେଣ୍ଟରେ ଅଛନ୍ତି।
ମେଘାଳୟରେ କଂଗ୍ରେସର ପାର୍ଟିର ନେତା ଏମ୍ପୟରନ ଲିଙ୍ଗଦୋହଙ୍କ ନେତୃତ୍ଵରେ କଂଗ୍ରେସର ସମସ୍ତ ପାଞ୍ଚ ବିଧାୟକ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମାଙ୍କ ନ୍ୟାସନାଲ ପିପୁଲ୍ସ ପାର୍ଟିର ନେତୃତ୍ଵାଧୀନ ମେଣ୍ଟ ସରକାରକୁ ସମର୍ଥନ କରିଛନ୍ତି। ଏହି ସରକାରରେ ବିଜେପି ମଧ୍ୟ ରହିଛି।
ଲିଙ୍ଗଦୋହ କହିଛନ୍ତି, କଂଗ୍ରେସ ନେତା ସଙ୍ଗମାଙ୍କ ମେଘାଳୟ ଡେମୋକ୍ରାଟିକ ଏଲାୟନ୍ସ ବା ଏମଡିଏରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି। କଂଗ୍ରେସର ସମସ୍ତ ପାଞ୍ଚ ବିଧାୟକ ଆଜି ସଙ୍ଗମାଙ୍କୁ ଭେଟି ତାଙ୍କୁ ସମର୍ଥନ ପତ୍ର ଦେଇଛନ୍ତି। ଏନପିପି ଏବଂ କଂଗ୍ରେସ ରାଜ୍ୟରେ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଥିଲେ। ମାତ୍ର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମସିରେ କଂଗ୍ରେସର ୧୨ ବିଧାୟକ ସାମିଲ୍ ହେବା ପରେ ଦୁଇ ପାର୍ଟି ଏବେ ନିକଟତର ହୋଇଛନ୍ତି।
କଂଗ୍ରେସ ବିଧାୟକ ଦଳର ନେତା ଲିଙ୍ଗଦୋହ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆମେ କୋନରାଡା ସାଙ୍ଗମାଙ୍କ ନେତୃତ୍ଵାଧୀନ ଏମଡିଏ ମେଣ୍ଟରେ ସାମିଲ୍ ହୋଇଛି। ଆମେ ବିଧାୟକଙ୍କ ହସ୍ତାକ୍ଷର ଥିବା ସମର୍ଥନ ପତ୍ର ମେଘାଳୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛୁ। ଫଳରେ ଏବେ ମେଘାଳୟ ସରକାରରେ ବିଜେପି ଏବଂ କଂଗ୍ରେସ ସାମିଲ ହୋଇଛନ୍ତି। ଦେଶର ରାଜନୈତିକ ଇତିହାସରେ ବିରଳ ଚିତ୍ର ଦେଖିବାକୁ ମିଳିଛି।