ସଂସ୍କାର : ଓଡ଼ିଶାର ବରିଷ୍ଠ ଅଭିନେତା ମିହିର୍ ଦାସଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁନାହାନ୍ତି ଓଡ଼ିଶାର ଜନସାଧାରଣ ଆଉ ଓଡିଶା ବାହାରେ ତାଙ୍କୁ ଜାଣିଥିବା ବ୍ୟକ୍ତିତ୍ୱ। ନିଜର ନିଖୁଣ ହୃଦୟସ୍ପର୍ଶୀ ଅଭିନୟର ଯାଦୁରେ ସେ ଦର୍ଶକଙ୍କ ହୃଦୟ ଜିଣିଥିଲେ। ଏପରି ଜଣେ ମହାନ୍ କଳାକାରଙ୍କୁ ଆମେ ଆଜି ହରାଇଥିବାରୁ ଅଭିନୟ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇ ଯାଇଛି ଯାହାକି ଭବିଷ୍ୟତରେ କେବେ ବି ପୂରଣ ହୋଇପାରିବ ନାହିଁ ।

ମିହିରଙ୍କ ପରି ଜଣେ କିମ୍ବଦନ୍ତୀ କଳାକାରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ନିଜ ଅଭିନୟ ଯାଦୁରେ ମିହିର ଅନେକଙ୍କ ହୃଦୟ ଜିତିପାରିଥିଲେ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।

ତେବେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଗଣେଶୀ ଲାଲ ଶୋକସନ୍ତପ୍ତ ମିହିରଙ୍କର ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ ।

କଟକର ସତୀଚୌରା ଶ୍ମଶାନରେ ଆଜି ମିହିରଙ୍କର ଅନ୍ତିମ ସଂସ୍କାର ହୋଇସାରିଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ମିହିରଙ୍କୁ ଗାର୍ଡ ଅଫ୍ ଅନ୍ନର ଦିଆଯାଇଛି। ଗତକାଲି ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା । ୧୯୭୯ ମସିହାରେ ମଥୁରା ବିଜୟ ଫିଲ୍ମ ମାଧ୍ୟମରେ ମିହିର ଅଭିନୟ ଜଗତରେ ପାଦ ଥାପିଥିଲେ । ଏହାପରେ ସେ ରାମାୟଣ, ଏହି ଆମ ସଂସାର, ଏହି ତ ଦୁନିଆ, ଆକାଶର ଆଖି, କନ୍ୟାଦାନ, ଲକ୍ଷ୍ମୀ ପ୍ରତିମା, ସୌଭାଗ୍ୟବତୀ ପରି ଏକାଧିକ ଆଧୁନିକ ଫିଲ୍ମରେ ଅଭିନୟ କରି ନିଜର ଦକ୍ଷତାକୁ ପ୍ରମାଣିତ କରିଥିଲେ ମିହିର୍ ଦାଶ। ଓଡ଼ିଶାରେ ଏଇ କିଛି ବର୍ଷ ହେବ ସେ କାକା ନାମରେ ବହୁତ ଖ୍ୟାତି ଅର୍ଜ୍ଜନ କରିଥିଲେ।