ଫେବୃୟାରୀ ୨୮ ତାରିଖରେ ଉତ୍ତରପ୍ରଦେଶର ଆଲିଗଡ଼ ଜିଲ୍ଲାର ଥାନା ଅକରାବାଦ ଅଞ୍ଚଳରେ ବଳାତ୍କାର ଉଦ୍ୟମ ସମୟରେ ନାବାଳିକା ହତ୍ୟାକାଣ୍ଡ ମାମଲାର ଖୁଲାସା କରିଛି ପୋଲିସ । ପଡ଼ୋଶୀ ଗାଁର ଜଣେ ନାବାଳକୁ ପୋଲିସ ଗିରଫ କରିଛି । ଆଇଜି ପୀୟୁଷ ମୋର୍ଡିଆ ଏବଂ ଏସଏସପି ମୁନିରାଜଙ୍କ କହିବାନୁସାରେ ପଡ଼ୋଶୀ ଚାଷ ଜମିରେ ଜଳସେଚନ କରୁଥିବା ଜଣେ ୧୭ ବର୍ଷୀୟ ଯୁବକ ନାବାଳିକାକୁ ବଳାତ୍କାର ଉଦ୍ୟମ କରିବାରେ ବିଫଳ ହେବାପରେ ଚୁନୁରୀରେ ଗଳା ଚିପି ହତ୍ୟା କରିଥିଲା ।
ପୋଲିସ ଦେଇଥିବା ସୂଚନାନୁସାରେ, ଯେତେବେଳେ ନାବାଳିକା ଜଣକ ଚାରା ନେବା ପାଇଁ ଚାଷ ଜମିରେ ପହଞ୍ଚିଥିଲେ, ନାବାଳକ ଯୁବକ ମୋବାଇଲରେ ଅଶ୍ଳୀଳ ଫିଲ୍ମ ଦେଖୁଥିଲେ । ଯୁବକଙ୍କ ପାଖ ଦେଇ ନାବାଳିକା ଯିବା ଦେଖି ତା’ ଉଦ୍ଦେଶ୍ୟ ଖରାପ ହେଇଗଲା । ଅଶ୍ଳୀଳ ଭିଡ଼ିଓ ଦ୍ୱାରା ଉତ୍ତେଜିତ ହୋଇ ନାବାଳକ ଏହି ଘଟଣା ଘଟାଇଥିଲା । ନାବାଳିକାକୁ ଅଭିଯୁକ୍ତ କିଶୋର ବଳାତ୍କାର କରିବାକୁ ଚେଷ୍ଟା କରିଥିଲା ମାତ୍ର ସଫଳ ହୋଇ ନପାରିବାରୁ ଚୁନୁରୀରେ ଗଳା ଚିପି ହତ୍ୟା କରିଥିଲା । ଘଟଣା ଘଟିଥିଲା ପୂର୍ବାହ୍ନ ପ୍ରାୟ ୧୧ ବେଳେ । ଘଟଣାକୁ ଲୁଚାଇବା ପାଇଁ ଅଭିଯୁକ୍ତ ନାବାଳିକା ମୃତଦେହକୁ ୨୦ ମିଟର ପର୍ଯ୍ୟନ୍ତ ଟାଣି ନେଇଥିଲା । ପୋଲିସ ଅଭିଯୁକ୍ତ କିଶୋରଙ୍କ ବିରୋଧରେ ଘଟଣାସ୍ଥଳରୁ ପ୍ରମାଣ ପାଇଥିଲା ଏବଂ ଏହି ଫୋରେନସିକ୍ ପ୍ରମାଣ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।
ସୂଚନାଥାଉ ଯେ ନାବାଳିକା ଅଧିକାଂଶ ସମୟ ତାଙ୍କ ଜେଜେମା’ଙ୍କ ସହିତ ରହୁଥିଲା । ପଶୁମାନଙ୍କ ପାଇଁ ଚାରା ଆଣିବାକୁ ଚାଷ ଜମିକୁ ଯାଇଥିଲା । ଦୀର୍ଘ ସମୟ ପରେ ମଧ୍ୟ ଯେତେବେଳେ ସେ ଘରେ ପହଞ୍ଚି ନଥିଲା ଜେଜେମା’ ଚାଷ ଜମିରେ ଯାଇ ଖୋଜିଲେ ହେଲେ ପାଇଲେ ନାହିଁ । ଏହାପରେ ଗ୍ରାମବାସୀ ଏହା ଶୁଣି ସମସ୍ତେ ନିଖୋଜ ନାବାଳିକାକୁ ଖୋଜିବା ଆରମ୍ଭ କଲେ । ବହୁ ଖୋଜାଖୋଜି ପରେ ସନ୍ଧ୍ୟାରେ ନାବାଳିକାର ମୃତଦେହ ରକ୍ତାକ୍ତ ଅବସ୍ଥାରେ ଦେଖିବାକୁ ମିଳିଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। କିଶୋରୀର ରକ୍ତ ଜୁଡୁବୁଡୁ ମୃତଦେହ ମିଳିବା ପରେ ସେ ଅଞ୍ଚଳରେ ଏକ ସମ୍ବେଦନଶୀଳତା ବ୍ୟାପି ଯାଇଥିଲା।
ତେବେ ଆଲିଗଡ଼ରେ ଏହି ବଳାତ୍କାର ମାମଲାର ଖୁଲାସା ପାଇଁ ପାଞ୍ଚଟି ଟିମ୍ ଗଠନ କରାଯାଇଥିଲା । ମଙ୍ଗଳବାର ଦିନ ଆଲିଗଡ଼ ପୋଲିସ ମଧ୍ୟ ୧୨ ଜଣ ସନ୍ଦିଗ୍ଧଙ୍କୁ ପଚରାଉଚରା ପାଇଁ ଅଟକ ରଖିଥିଲା । ଆଇପିସି ଏବଂ ପୋକସୋ ଆକ୍ଟର ଧାରା ୩୭୬ (ବଳାତ୍କାର), ୩୦୨ (ହତ୍ୟା) ଅନୁଯାୟୀ ଆଲିଗଡ଼ ପୋଲିସ ଏକ ମାମଲା ରୁଜୁ କରିଥିଲା । ବର୍ତ୍ତମାନ ପୋଲିସ ଏହି ହତ୍ୟାକାଣ୍ଡ ମାମଲାର ଖୁଲାସା କରିଛି ।