ଥାପ୍ପଡ୍ ଗାର୍ଲଙ୍କୁ ଗିରଫ କରାଯାଉ, ନ ହେଲେ ମୁଁ … : କ୍ୟାବ୍ ଡ୍ରାଇଭର

ସଂସ୍କାର : ଥମୁନି ଥାପ୍ପଡ୍ ଗାର୍ଲଙ୍କ ଗିରଫ ଦାବି। ବାରମ୍ବାର କହିବା ସତ୍ୱେବି ପୋଲିସ ଗିରଫ କରୁନି ସେହି ଚାପୁଡ଼ା ମାରିଥିବା ଯୁବତୀଙ୍କୁ । ଆମେ କହୁଛୁ ଗତ ଜୁଲାଇ ୩୦ ତାରିଖ ରାତିରେ ଘଟିଥିବା ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୋର ଘଟଣା। ଜଣେ ୨୮ ବର୍ଷୀୟ ଯୁବତୀ ଜଣେ କ୍ୟାବ୍ ଡ୍ରାଇଭରଙ୍କୁ ରାଜରାସ୍ତାରେ ଅଟକାଇ ଗଣି ଗଣି ୨୨ଟି ଚାପୁଡ଼ା ମାରିବା ଘଟଣା ସମଗ୍ର ଦେଶରେ ନିଆଁ ଭଳି ବ୍ୟାପିଯାଇଥିଲା। ଏହାର ଭିଡ଼ିଓ ଖୁବ୍ ଭାଇରଲ୍ ହୋଇଥିଲା। ଏପରିକି କ୍ୟାବ୍ ଡ୍ରାଇଭରଙ୍କ କୌଣସି ଭୁଲ୍ ନ ଥାଇ ବି ଯୁବତୀଙ୍କ ଏହିପରି କାଣ୍ଡ ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।

ତେବେ ଏହି ଘଟଣାକୁ ୨ ସପ୍ତାହ ସମୟ ବିତିଯାଇଥିଲେ ହେଁ ସମ୍ପୃକ୍ତ ଯୁବତୀଙ୍କୁ ଗିରଫ କରାଯାଇନାହିଁ । ତେଣୁ ଏହାକୁ ନେଇ କ୍ଷୁବ୍ଧ ହୋଇଛନ୍ତି କ୍ୟାବ୍ ଡ୍ରାଇଭର ସହାଦତ ଅଲ୍ଲୀ । ସେ କହିଛନ୍ତି ଯେ, ପୋଲିସ ସେହି ଯୁବତୀଙ୍କ ସହ ମିଶି ଏହି ମାମଲାକୁ ଚାପି ଦେବାକୁ ଚେଷ୍ଟା କରୁଛି । ମୁଁ ଯଦି ଏହି ଯୁବତୀଙ୍କୁ ବାଡେଇଥାନ୍ତି ତେବେ ପୋଲିସ ମୋତେ କେବେଠୁ ଗିରଫ କରି ଜେଲର ବନ୍ଦୀ କରି ରଖିଥାନ୍ତା। ଏହି ମାମଲାରେ ଯଦି ଯୁବତୀଙ୍କୁ ଗିରଫ କରାନଯାଏ, ତେବେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

ସହାଦତ ଆହୁରି କହିଛନ୍ତି ଯେ, ଥାପ୍ପଡ୍ ଗାର୍ଲଙ୍କ ସହ ବୁଝାମଣା କରିବାକୁ ସେ ପ୍ରସ୍ତୁତ ନାହାନ୍ତି । ଯୁବତୀ ଜଣଙ୍କୁ ସେ ପୂର୍ବରୁ ଜାଣିନଥିଲେ । ସେ ଯାହା ବି ଅଭିଯୋଗ ଆଣିଛନ୍ତି ସେସବୁ ଭୁଲ୍ । ଉକ୍ତ ଯୁବତୀ ଜଣଙ୍କ ଭୁଲ୍ କରିଛନ୍ତି, ତେଣୁ ତାଙ୍କୁ ଦଣ୍ଡ ମିଳିବା ଦରକାର ବୋଲି କହିଛନ୍ତି ସହାଦତ ।

Leave a Reply

Your email address will not be published. Required fields are marked *