ଦେଶବ୍ୟାପୀ ଲକଡାଉନ ମଧ୍ୟରେ ଏହି କାରଣ ଯୋଗୁ ମୋହନ ବାଗାନ ହେଲା ଚାମ୍ପିଅନ୍ ଘୋଷିତ

ନୂଆଦିଲ୍ଲୀ : ମହାମାରୀ କରୋନାଭାଇରସ ଯୋଗୁ ଆଇ-ଲିଗର ବଳକା ୨୮ଟି ମ୍ୟାଚ୍‌କୁ ବାତିଲ କରି ଦିଆଯାଇଛି । ମ୍ୟାଚଗୁଡ଼ିକ ବାତିଲ ହେବାରୁ ମୋହନ ବାଗାନଙ୍କୁ କମିଟି ପକ୍ଷରୁ ଚାମ୍ପିୟନ ଘୋଷଣା କରାଯାଇଛି । କରୋନା ପାଇଁ ମଇ ୩ ତାରିଖ ଯାଏ ସାରା ଦେଶରେ ଲକଡାଉନ ଜାରି କରାଯାଇଛି ।

ଲକଡାଉନ ଯୋଗୁ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଆଇ-ଲିଗ ପ୍ୟାନେଲ ପକ୍ଷରୁ ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ବୈଠକ ବସିଥିଲା । ଏହି ସମୟରେ ପ୍ୟାନେଲ ପକ୍ଷରୁ ସର୍ବଭାରତୀୟ ଫୁଟବଲ ମହାସଂଘର କାର୍ଯ୍ୟନିର୍ବାହୀ କମିଟିକୁ ଆଇ-ଲିଗ୍‌ ଟୁର୍ଣ୍ଣାମେଣ୍ଟକୁ ଚାଲୁ ନକରିବାକୁ ପ୍ରସ୍ତାବ ଦିଆଯାଇଥିଲା ।

ପ୍ୟାନେଲ ଟୁର୍ଣ୍ଣାମେଣ୍ଟର ବଳକା ମ୍ୟାଚକୁ ବାତିଲ କରିବାକୁ ନିଷ୍ପତ୍ତି ନେବାରୁ ୨୦୧୯-୨୦ ହିରୋ ଆଇ-ଲିଗ ଚାମ୍ପିୟନ ଭାବେ ମୋହନ ବାଗାନର ନାଁକୁ ଘୋଷଣା କରାଯାଇଛି । ମାର୍ଚ୍ଚ ୧୪ରେ କରୋନା ଭାଇରସକୁ ଦୃଷ୍ଟିରେ ରଖି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଥିଲା । ଏହି ସମୟରେ ମୋହନ ବାଗାନ ୧୬ଟି ମ୍ୟାଚ୍‌ରୁ ୩୯ ପଏଣ୍ଟ ପାଇ ପଏଣ୍ଟ ଟେବୁଲ ଶୀର୍ଷରେ ରହିଥିଲା । ଏହା ପଛକୁ ଇଷ୍ଟ ବେଙ୍ଗଲ ଓ ମିନରେଭା ପଞ୍ଜାବ ୨୩ ପଏଣ୍ଟ ଲେଖାଏ ପାଇଥିବାବେଳେ ରିୟଲ କାଶ୍ମୀର ୧୫ ମ୍ୟାଚ୍‌ରୁ ୨୨ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଥିଲା ।

Leave a Reply

Your email address will not be published. Required fields are marked *