ଚେତାଶୂନ୍ୟ ଅବସ୍ଥାରେ ଜଣେ ଯୁବକ ଉଦ୍ଧାର ହୋଇଛନ୍ତି କଟକ-ଜଗତପୁର ମହାନଦୀ ବ୍ରିଜ୍ ନିକଟ ଗୋଳେଇଛକ ରାସ୍ତା କଡ଼ ଫୁଟ୍ ପାଥ୍ରୁ । କେହି ଦୁର୍ବୃତ୍ତ ତାଙ୍କୁ ନିଶା ଦେଇ ପାଖରେ ଥିବା ସୁନା ଚେନ୍, ଟଙ୍କା, ମୋବାଇଲ ଓ ବ୍ୟାଗ୍ ଲୁଟି ନେଇଛି ବୋଲି ପରିବାର ଲୋକେ ଜଗତପୁର ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି । ମାତ୍ର ପୀଡ଼ିତ ଯୁବକ ବର୍ତ୍ତମାନ ସୁଦ୍ଧା ଅସୁସ୍ଥ ଥିବାରୁ ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।
ତେବେ ଖବର ମୁତାବକ ଅଚେତ୍ ଅବସ୍ଥାରେ ଜଗତପୁର ଗୋଲେଇଛକ ରାସ୍ତା ପାଖରୁ ଯୁବକ ଜଣକ ପଡ଼ି ରହିଥିଲା ବେଳେ ଜଣେ ସମ୍ପର୍କୀୟ ତାଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଉଦ୍ଧାର ଯୁବକ ଜଣକ ଭଦ୍ରକ ଜିଲ୍ଲା ବାସିନ୍ଦା ହୋଇଥିଲା ବେଳେ ତାଙ୍କ ନାମ ମହେଶ୍ୱର ବେହେରା (୩୭ ବର୍ଷ) ବୋଲି ଜଣାପଡ଼ିଛି ।

ଦୀର୍ଘ ମାସ ପରେ ମହେଶ୍ଵର ଘରକୁ ଫେରୁଥିଲେ ଏବଂ ଗୁରୁବାର ଦିନ ବିଳମ୍ୱିତ ରାତିରେ ଭୁବନେଶ୍ୱରୁ ଆସି ଲିଙ୍କ୍ ରୋଡ୍ଠାରେ ସେ ପହଁଞ୍ଚିଥିଲେ । ଭଦ୍ରକ ଯିବା ପାଇଁ ସେ ସେଠି ଅପେକ୍ଷା କରିଥିବା ନେଇ ପରିବାରକୁ ଲୋକଙ୍କୁ ଫୋନ ମଧ୍ୟ କରିଥିଲେ । ହେଲେ ଆଜି ସକାଳେ ସେ ଚେତାଶୂନ୍ୟ ଅବସ୍ଥାରେ ଜଗତପୁର ଗୋଲେଇଛକ ଫୁଟ୍ ପାଥ୍ ନିକଟରେ ପଡ଼ିଥିବା ଦେଖିବାକୁ ମିଳିଲେ ।

ପୀଡ଼ିତ ମହେଶ୍ଵରଙ୍କୁ ଉଦ୍ଧାର କରିଥିବା ସମ୍ପର୍କୀୟଙ୍କ କହିବାନୁସାରେ କେହି ଗାଡ଼ି ଚାଳକ ହୁଏତ ତାଙ୍କୁ ଭଦ୍ରକ ନେବା ଆଳରେ କୌଣସି ନିଶା ଖୁଆଇ ଦେଇଛନ୍ତି । ତାପରେ କଟକ-ଜଗତପୁର ମହାନଦୀ ପୋଲ ମଧ୍ୟରେ ତାଙ୍କ ସୁନା ଚେନ୍, ନଗଦ ଟଙ୍କା, ମୋବାଇଲ ଏବଂ ବ୍ୟାଗ୍ ଲୁଟ୍ କରି ଗୋଲେଇଛକ ନିକଟରେ ଫିଙ୍ଗି ଦେଇ ଫେରାର୍ ହୋଇଯାଇଛି । ଚେତାଶୂନ୍ୟ ଅବସ୍ଥାରେ ପଡ଼ି ରହିଥିବା ଖବର ପାଇ ସମ୍ପର୍କୀୟ ଜଣେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହିତ ପୋଲିସକୁ ମଧ୍ୟ ସୂଚନା ଦେଇଥିଲେ ।