ଜାନୁୟାରୀ ୮ରୁ ଖୋଲୁଛି ଏହି ମଲ୍ଟିପ୍ଲେକ୍ସ, ରିଲିଜ୍‌ ଅପେକ୍ଷାରେ ୪୦ରୁ ଅଧିକ ଓଡ଼ିଆ ଫିଲ୍ମ

ରାଜ୍ୟରେ ପ୍ରଥମ ସିନେମା ହଲ୍‌ ଭାବରେ ଜାନୁୟାରୀ ୮ ତାରିଖରେ ଖୋଲୁଛି କଟକର ସଙ୍ଗମ ମଲ୍ଟିପ୍ଲେକ୍ସ । ଆଇନକ୍ସ, ଗ୍ରାଣ୍ଡ୍‌, ବୃନ୍ଦାବନ, ସମ୍ରାଟ ହଲ୍‌ ଆଦି ବାକି ସିନେମା ହଲଗୁଡିକ ୧୪ ତାରିଖରେ ଖୋଲିବ ବୋଲି ସୂଚନା ମିଳିଛି । ତେବେ ରିଲିଜ୍‌ ପାଇଁ ୪୦ରୁ ଅଧିକ ଓଡ଼ିଆ ସିନେମା ପ୍ରସ୍ତୁତ ଥିବାବେଳେ ସେନ୍‌ସର୍‌ ହୋଇ ନଥିବାରୁ ସିନେମା ହଲ୍‌ରେ ପଡ଼ିବା ସମ୍ଭାବନା କମ୍ ‌। ତେଣୁ ଇଂରାଜୀ ଫିଲ୍ମ ‘ପିସେସ୍‌ ଅଫ୍‌ ଏ ୱିମେନ୍‌’କୁ ନେଇ ଖୋଲିବାକୁ ଯାଉଛି ସଙ୍ଗମ ମଲ୍ଟିପ୍ଲେକ୍ସ ।

ସରକାରଙ୍କ କୋଭିଡ୍ ଗାଇଡ଼ଲାଇନ ଅନୁସାରେ ମାତ୍ର ୫୦ ପ୍ରତିଶତ ଦର୍ଶକ ବସିପାରିବେ ସିନେମା ହଲରେ । ଗୋଟିଏ ସୋ’ ପିଛା ହଲ୍‌ ମାଲିକ ୟୁଏଫ୍‌ଓ ଚାର୍ଜ ୩୫୪ ଟଙ୍କା ଦେବା ପରେ ବିଦ୍ୟୁତ୍‌ ବିଲ୍‌, କର୍ମଚାରୀଙ୍କ ପ୍ରାପ୍ୟ ଏବଂ ମେଣ୍ଟାନାନ୍ସ ଖର୍ଚ୍ଚ ରହିଛି । ପ୍ରତିଦିନ ୧୦ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଅନ୍ୟ ଖର୍ଚ୍ଚ ବି ରହିଛି । ତେଣୁ ୫୦ ପ୍ରତିଶତ ଦର୍ଶକରେ ମାଲିକମାନଙ୍କ ପ୍ରବଳ କ୍ଷତି ହେବ । ପୁଣି କୋଭିଡ୍‌-୧୯ କଟକଣାକୁ ମାନିବାକୁ ଯାଇ ହଲ୍‌କୁ ବାରମ୍ବାର ସାନିଟାଇଜ୍‌ କରିବା ବାବଦରେ ଅର୍ଥ ଶ୍ରାଦ୍ଧ କରିବାକୁ ପଡ଼ିବ । ତେଣୁ ହଲ୍‌ ମାଲିକ ପାଇଁ ସିନେମା ହଲ୍ ଖୋଲିବାର ମାନେ ଘୋଡ଼ା ଛ’ ଟଙ୍କାକୁ ଦାନା ୯ ଟଙ୍କା ଭଳି ।

ଅନ୍ୟପକ୍ଷରେ କେବଳ ପ୍ରଯୋଜକ ସୀତାରାମ ଅଗ୍ରୱାଲଙ୍କ ସିଦ୍ଧାର୍ଥ ବ୍ୟାନର୍‌ରେ ୬ଟି ସିନେମା ମୁକ୍ତିଲାଭ ପାଇଁ ରହିଥିବା ବେଳେ ପ୍ରଯୋଜକ ରମେଶ ବାରିକଙ୍କର ୪ଟି ଚଳଚ୍ଚିତ୍ର ମୁକ୍ତିଲାଭ ଅପେକ୍ଷାରେ ରହିଛି । ୨୦ରୁ ଅଧିକ ସିନେମାର ପ୍ରାରମ୍ଭିକ କାମ ମଧ୍ୟ ଜାରି ରହିଛି ।

Leave a Reply

Your email address will not be published. Required fields are marked *