ସଂସ୍କାର : ଯେକୌଣସି ଛୋଟ ଶିଶୁ ପାଇଁ ତାର ଦୁନିଆ ହିଁ ତାର ମାଆ। ମାଆ ଖୁଆଇଲେ ସେ ଖାଇବ ଓ ମାଆ ପିନ୍ଧାଇଲେ ସେ ପିନ୍ଧିବ। କିନ୍ତୁ ମାଆ ଯେ ତାର ଛୋଟ ୨ ମାସର ଶିଶୁକୁ ଜୀବନରୁ ମାରିଦେବ ଏହା ଦେଖିବା ବା ଶୁଣିବା ଏକ ବିରଳ ଓ ଆଶ୍ଚର୍ଯ୍ୟର କଥା।
ଅନ୍ୟ ଜଣେ ଯୁବକ ସହିତ ପ୍ରେମ ସମ୍ପର୍କ ରଖିବା ପାଇଁ ମହିଳା ଜଣଙ୍କ ନିଜର ଦୁଇ ମାସର ଛୋଟ ଶିଶୁ ପୁତ୍ରକୁ ମାରି କୂଅରେ ପକାଇ ଦେଇଥିବା ଘଟଣା ବର୍ତ୍ତମାନ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ତେବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ଅଞ୍ଚଳରେ। ମାର୍ଶାଘାଇ ଅଞ୍ଚଳର କାନପୁର ଗାଁରେ ଘଟିଛି ଏହି ଅମାନବୀୟ ବର୍ବର କାଣ୍ଡ। କାନପୁର ଗାଁର ସତ୍ୟରଂଜନ ପରିଡାଙ୍କର ସ୍ତ୍ରୀ ଲକ୍ଷ୍ମୀପ୍ରିୟା ପରିଡା ଏଭଳି କାଣ୍ଡ ଭିଆଇଛନ୍ତି। ସେ ନିଜର ୨ ମାସର ଶିଶୁ ପୁତ୍ରକୁ ମାରି ବାରିପଟେ ଥିବା କୂଅରେ ପକାଇ ଦେଇଛନ୍ତି।
ହତ୍ୟା ପରେ ୨ ମାସର ପୁଅକୁ ଅଖାରେ ପୂରାଇ କୂଅରେ ଫିଙ୍ଗିଦେଇଥିଲେ ଲକ୍ଷ୍ମୀପ୍ରିୟା। ତେବେ କୂଅରୁ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ଓ ପୋଲିସ୍ । ଅନ୍ୟପଟେ ପୁଅକୁ ମାଆ ହତ୍ୟା କରିବା ସ୍ୱୀକାରୋକ୍ତି ନେଇ ପୋଲିସ୍ ସୂଚନା ଦେଇଛି। ତେବେ ଏହି ଘଟଣା ଏବେ ସ୍ଥାନୀୟ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ବର୍ତ୍ତମାନ ଉଭୟ ସ୍ୱାମୀ ଓ ଅଭିଯୁକ୍ତ ମହିଳାଙ୍କୁ ପୋଲିସ୍ ଅଟକ ରଖି ପଚରାଉଚରା କରୁଛି ବୋଲି ରାଜ୍ୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡିଛି।