ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରୁ ଆସିଛି ନିହାତି ଏକ ଲଜ୍ୟାଜନକ ମାମଲା । ଜଣେ ଦଳିତ ଯୁବକ ଭୁଲରେ ଦୁଇ ଯୁବକଙ୍କ ଖାଇବା ଛୁଇଁ ଦେଇଥିବାରୁ ସେମାନେ ତାକୁ ପିଟିପିଟି ମାରି ଦେଲେ । ଘଟଣା ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଦୁଇ ଅଭିଯୁକ୍ତ । ସେମାନଙ୍କୁ ପୋଲିସ ଖୋଜୁଛି ।
ଛତ୍ରପୁରର ଜିଲ୍ଲାର ଗୌରୀହାର ଥାନା ଅନ୍ତର୍ଗତ ଅଞ୍ଚଳରେ ଘଟିଛି । ପୋଲିସ ଦେଇଥିବା ସୂଚନାନୁସାରେ ଡିସେମ୍ବର ୭ ତାରିଖ ଦିନ କିଶାନପୁରା ଗାଁରେ ୩ ଜଣ ଯୁବକ ଭୋଜି କରୁଥିଲେ । ଏହି ଭୋଜିରେ ଜଣେ ଦଲିତ ଯୁବକ ଦେବରାଜ ଅନୁରାଗୀ ମଧ୍ୟ ସାମିଲ ହୋଇଥିଲେ । ପ୍ରଥମେ ଦେବରାଜ ଖାଦ୍ୟକୁ ଛୁଇଁଦେବା ଉଚ୍ଚ ଜାତିର ସହକର୍ମୀ ଦୁଇ ଯୁବକଙ୍କୁ ହଜମ ହେଲାନି । ପ୍ରଥମେ ସେମାନେ ଦେବରାଜ ସହିତ ପାଟିତୁଣ୍ଡ କଲେ ଏବଂ ତା’ପରେ ବାଡ଼ିରେ ପିଟିବା ଆରମ୍ଭ କରିଦେଲେ ।
ଏହାପରେ ଦେବରାଜଙ୍କୁ ଏମିତି ନିସ୍ତୁକ ମାଡ଼ ମାରିଥିଲେ ଯୁବକ ଦ୍ୱୟ ଯେ ଦେବରାଜ ବେହୋଶ ହୋଇଯାଇଥିଲେ । ଦେବରାଜ ବେହୋଶ ହୋଇଯିବା ଦେଖି ଅଭିଯୁକ୍ତ ଦୁହେଁ ତାଙ୍କୁ ତାଙ୍କ ଘରେ ଛାଡ଼ି ସେଠୁ ଫେରାର ହୋଇଯାଇଥିଲେ ଏବଂ କିଛି ସମୟ ପରେ ଦେବରାଜଙ୍କ ମୃତ୍ୟୁ ହୋଇଥିଲା । ଦଳିତ ଯୁବକର ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ଭୁରା ସୋନି ଏବଂ ସାଣ୍ଟୋଶ ପାଲଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମଧ୍ୟ ଏହି ଘଟଣାକୁ ଗୁରୁତର ଭାବରେ ଗ୍ରହଣ କରି ଉଭୟ ଅଭିଯୁକ୍ତ ଯୁବକଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି ଓ ତଦନ୍ତ ଆରମ୍ଭ କରିଦେଇଛି ।

ଛତ୍ରପୁର ଏଏସପି ସମୀର ସୌରଭଙ୍କ କହିବାନୁଯାୟୀ ଏ ଘଟଣା ୭ ତାରିଖ ସଞ୍ଜବେଳର । କିଶାନପୁରା ଗାଁର ମାନସିକ ରୋଗୀ ଦେବରାଜ ଅନୁରାଗୀଙ୍କୁ ସୋନି ଏବଂ ପାଲ ରାତ୍ରୀଭୋଜନ ପାଇଁ ଡାକିଥିଲେ । ୨ ଘଣ୍ଟା ପରେ ତାଙ୍କୁ ତାଙ୍କ ଘରେ ଆଣି ଛାଡ଼ିଦେଲେ । ଅନୁରାଗୀ ତା ପରିବାରକୁ କହିଥିଲେ କିପରି ଭୁଲରେ ସେ ସେମାନଙ୍କ ଖାଦ୍ୟ ଛୁଇଁ ଦେଇଥିବାରୁ ସେମାନେ ତାକୁ ମାଡ଼ ମାରିଛନ୍ତି । ଅନୁରାଗୀଙ୍କ ପିଠିରେ ମାଡ଼ ଚିହ୍ନ ବି ସ୍ପଷ୍ଟ ଦିଶୁଥିଲା ।
ବାସ୍ତବରେ ଅନୁରାଗୀଙ୍କୁ ପ୍ରବଳ ମାତ୍ରାରେ ମାଡ଼ ମରା ଯାଇଥିଲା । ମାରି ମାରି ତାଙ୍କୁ ଚେତାଶୂନ୍ୟ କରାଇ ଦିଆଯାଇଥିଲା ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ପରେ ପୋଲିସ ହତ୍ୟା ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଟିମ୍ ଗଠନ କରିଛି । ଉଭୟଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି ।