ବାଲେଶ୍ୱର : ବାଲେଶ୍ୱର ସହରର କାନ୍ଥବାଡ଼ରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନିଖୋଜ ପୋଷ୍ଟର ଲାଗିଥିବା ବାଲେଶ୍ୱରବାସୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ ଏନେଇ ଲିଖିତ ଅଭିଯୋଗ ହୋଇଛି । ବାଲେଶ୍ଵର ସହଦେବଖୁଣ୍ଟା ଥାନାରେ ୪ ଜଣଙ୍କ ନାମରେ ବିଜେପି ତରଫରୁ ଅଭିଯୋଗ ହୋଇଛି ।
‘ସାହାଯ୍ୟ କର, ଆମର ଏମ୍ପି ନିଖୋଜ ହୋଇଯାଇଛନ୍ତି । ତାଙ୍କୁ ଖୋଜିବାରେ ସାହାଯ୍ୟ କର ।’ ଏହିପରି ପୋଷ୍ଟରରେ ଲେଖା ହୋଇଥିଲାବେଳେ ପୋଷ୍ଟର ସୌଜନ୍ୟରେ ଲେଖଥିଲା ‘ବାଲେଶ୍ୱର ପିପୁଲ୍’ । ବିଭିନ୍ନ ରାଜନୈତିକ ଦଳ ଏ ପୋଷ୍ଟରକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ଓ ଏଭଳି ଏକ ଅପପ୍ରଚାର ମନ୍ତ୍ରୀ ତଥା ବାଲେଶ୍ଵର ସାଂସଦଙ୍କ ସମ୍ମାନହାନୀ କରିଛି ବୋଲି ଅଭିଯୋଗରେ ଲେଖାଯାଇଛି । ଏମିତିକି ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ।
ଏ ଘଟଣା ସାରା ସହରରେ ଚାଞ୍ଚଲ୍ୟ ଖେଳିଦେଇଛି ଓ ପୋଲିସ ମଧ୍ୟ କିଏ ଏଭଳି ଘଟଣା ଘଟାଇଲା ତାକୁ ନେଇ ତଦନ୍ତ ଆରମ୍ଭ କରିଦେଇଛି । ତେବେ ପ୍ରତାପ ଷଡ଼ଙ୍ଗୀ ନିଜେ କହିଛନ୍ତି ଯେ ସେ କେବଳ ସାଂସଦ ନୁହନ୍ତି, ଦେଶର ଜଣେ ମନ୍ତ୍ରୀ ବି । ତେଣୁ ଏଭଳି କାଣ୍ଡକାରନାମାକୁ ସେ ଖାତିର କରନ୍ତି ନାହିଁ । ସୂଚନା ଅନୁଯାୟୀ ଏ ଘଟଣା ପଛରେ କଂଗ୍ରେସ କୌଣସି ହାତ ନାହିଁ ବୋଲି ଦଳର ମୁଖ୍ୟ ସ୍ପଷ୍ଟ କରିଛନ୍ତି ।