ସଂସ୍କାର : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଘଟିଛି ଏକ ଲଜ୍ୟାଜନକ କାର୍ଯ୍ୟ। ଏହି ମାମଲା ଦିଲ୍ଲୀର ନିର୍ଭୟା ମାମଲା ପରି । ମୁମ୍ବାଇର ସାକିନାକା ଅଞ୍ଚଳରେ ରହୁଥିବା ଜଣେ ୩୦ ବର୍ଷୀୟ ମହିଳାଙ୍କୁ ବଳାତ୍କାର କରାଯାଇଛି। ଆଉ ବଳାତ୍କାର ପରେ ମହିଳାଙ୍କର ପ୍ରାଇଭେଟ୍ ପାର୍ଟରେ ବଳାତ୍କାରୀମାନେ ଲୁହା ରଡ୍ ଭର୍ତ୍ତି କରିଦେଇଛନ୍ତି। ଯେଉଁଥିପାଇଁ ତାଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ହୋଇପଡିଛି।
ମହିଳାମାନଙ୍କ ପାଇଁ ସବୁଠାରୁ ସୁରକ୍ଷିତ ସହର ଭାବେ ବିବେଚନା କରାଯାଉଥିବା ମୁମ୍ବାଇରେ ବର୍ତ୍ତମାନ ମହିଳାମାନେ ନିଜକୁ ଅସୁରକ୍ଷିତ ମନେକଲେଣି। ତେବେ ଏହି ବଳାତ୍କାର ମାମଲାରେ ମୁମ୍ବାଇ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଆଉ ପୋଲିସ୍ ସନ୍ଦେହ କରୁଛି ଯେ ଏହି ଘଟଣାରେ ଆହୁରି ଅନେକ ଅଭିଯୁକ୍ତ ସମ୍ପୃକ୍ତ ଅଛନ୍ତି। ବର୍ତ୍ତମାନ ଏହି ଦିଗରେ ପୋଲିସ୍ ଅନୁସନ୍ଧାନ ଚାଲାଇଛି। ସାକିନାକା ଅଞ୍ଚଳର ଏହି ନିନ୍ଦନୀୟ ଘଟଣା ପରେ ସେଠାକାର ମହିଳାମାନେ ନିଜକୁ ଅସୁରକ୍ଷିତ ଭାବିଲେଣି। ତେବେ ଏହି ଘଟଣା ସାକିନାକାର ଖୈରାନୀ ରୋଡ ଅଞ୍ଚଳର ବୋଲି ଜଣାପଡିଛି।
ଅନ୍ୟପଟେ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ହୋଇ ପରିସ୍ଥିତିର ଗମ୍ଭୀରତାକୁ ଲକ୍ଷ୍ୟ କରିଛନ୍ତି। ଗଣେଶ ପୂଜାକୁ ଦୃଷ୍ଟିରେ ରଖି ମୁମ୍ବାଇ ପୋଲିସର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳ ଯାଞ୍ଚ କରିବା ପରେ ସ୍ଥାନୀୟ ପୋଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଛି। ଯାହାଦ୍ୱାରା ପରିସ୍ଥିତି ନିୟନ୍ତ୍ରଣକୁ ଆସିଯାଇଛି ଆଉ କୌଣସି ଅଘଟଣ ଘଟି ନାହିଁ। ତେବେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୩୦୭ , ୩୭୬ , ୩୨୩ ଏବଂ ୫୦୪ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।
ଏହି ଘଟଣା ବିଷୟରେ ପୋଲିସ ଗଣମାଧ୍ୟମକୁ ସୂଚନା ଦେଇଛି ଯେ, ଗତ ଗୁରୁବାର ରାତି ପ୍ରାୟ ୩ ଟା ୩୦ ସମୟରେ କଣ୍ଟ୍ରୋଲ ରୁମକୁ ଏକ କଲ୍ ଆସିଥିଲା। କଲରେ ଜଣେ କେହି କହିଥିଲେ ଯେ ଜଣେ ମହିଳା ଚେତାଶୂନ୍ୟ ହୋଇ ସାକିନାକାର ଖୈରାନୀ ରୋଡ ଅଞ୍ଚଳର ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଛନ୍ତି। ସୂଚନା ପାଇବା ପରେ ସାକିନାକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୀଡିତାଙ୍କୁ ଉଦ୍ଧାର କରି ମୁମ୍ବାଇର ରାଜୱାଡି ହସ୍ପିଟାଲରେ ଭର୍ତ୍ତି କରିଥିଲା। ଯେଉଁଠାରେ ମହିଳାଙ୍କର ବର୍ତ୍ତମାନ ଚିକିତ୍ସା କରାଯାଉଛି। ତେବେ ଅନ୍ୟ ଅଭିଯୁକ୍ତମାନଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ପୋଲିସ୍ ସୂଚନା ଦେଇଛି।