କମେଡ଼ି କୁଇନ୍ ଭାରତୀ ଏବଂ ହର୍ଷଙ୍କୁ ଜାମିନ ପାଇବାରେ ସାହାଯ୍ୟ ମିଳିଛି କି ? NCB ମୁମ୍ବାଇର ଦୁଇ ଜଣ ଅଧିକାରୀ ନିଲମ୍ବିତ

ଡ୍ରଗ୍ସ ର୍ୟାକେଟ୍ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB) ନିଜର ଦୁଇ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ହାସ୍ୟ ଅଭିନେତା ଭାରତୀ ସିଂ, ତାଙ୍କ ସ୍ୱାମୀ ହର୍ଷ ଏବଂ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ଜାମିନ ପାଇବାରେ ସେମାନଙ୍କର ଭୂମିକା ସନ୍ଦେହଜନକ ଥିବା ନେଇ ମୁମ୍ବାଇ NCBର ୨ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ।

ଏହା ବ୍ୟତୀତ NCB ଓକିଲଙ୍କ ଭୂମିକାକୁ ମଧ୍ୟ ଯାଞ୍ଚ କରାଯାଉଛି । କାରଣ ଯେତେବେଳେ ଏହି ତାରକାମାନଙ୍କ ଜାମିନକୁ ନେଇ ଶୁଣାଣି ଥିଲା ସେ ସମୟରେ ଓକିଲମାନେ ହାଜର ହୋଇପାରିନଥିଲେ ଯେଉଁଥିପାଇଁ NCB ର ପକ୍ଷ ରଖାଯାଇନଥିଲା । ତେବେ ନିଲମ୍ବିତ ଦୁଇ ଅଧିକାରୀଙ୍କ ଉପରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଥାଉ ଯେ ଅତୀତରେ NCB ହାସ୍ୟ ଅଭିନେତା ଭାରତୀ ସିଂଙ୍କ ଘରୁ ପ୍ରାୟ ୮୬.୫ ଗ୍ରାମ ଗଞ୍ଜେଇ ଜବତ କରିଥିଲା ଓ ପରେ ତାଙ୍କୁ ଗିରଫ କରାଯାଇ ନ୍ୟାୟିକ ହେପାଜତକୁ ପଠାଯାଇଥିଲା । ଯେତେବେଳେ ଭାରତ କୋର୍ଟରେ ଜାମିନ ପାଇଁ ନିବେଦନ କରିଥିଲେ, ଅତି ସହଜରେ ତାଙ୍କୁ ଜାମିନ ମିଳି ଯାଇଥିଲା କାରଣ କୋର୍ଟରେ କୌଣସି NCB ଅଧିକାରୀ କିମ୍ବା ଓକିଲ ଉପସ୍ଥିତ ନଥିଲେ ।

ଚଳଚ୍ଚିତ୍ର ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ସହ ମଧ୍ୟ ସମାନ ଘଟଣା ଘଟିଥିଲା । ତାଙ୍କ ଘରୁ ମଧ୍ୟ ମୋଟ ୧.୭ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା । ବର୍ତ୍ତମାନ NCB ପକ୍ଷରୁ NDPS କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି ଯେଉଁଥିରେ ଭାରତ ସିଂ ଏବଂ ହର୍ଷଙ୍କ ଜାମିନକୁ ଚ୍ୟାଲେଞ୍ଜ କରାଯାଇଛି ।

Leave a Reply

Your email address will not be published. Required fields are marked *