ବିଳମ୍ବ ରାତିରେ କୋଭିଡ଼ ହସ୍ପିଟାଲରେ ଲାଗିଲା ନିଆଁ : ପହଞ୍ଚିଥିଲା ୧୦ ଟି ଦଳକଳ, ମାତ୍ର ୧୦ ଜଣଙ୍କ ମୃତ୍ୟୁ ଏବଂ …

ଗତକାଲି ମଧ୍ୟରାତ୍ରି ପରେ ମହାରାଷ୍ଟ୍ରର ମୁମ୍ବାଇ ସ୍ଥିତ ଭାଣ୍ଡୁପର ସନ୍ ରାଇଜ୍ ହସ୍ପିଟାଲରେ ନିଆଁ ଲାଗିଯାଇଥିଲା । ଡ୍ରିମ୍ସ ମଲର ତୃତୀୟ ମହଲାରେ ଥିବା ସନ୍ ରାଇଜ୍ ହସ୍ପିଟାଲରେ ଏହି ଦୁର୍ଘଟଣା ଘଟିଥିଲା ଯେଉଁଠି କରୋନା ଆକ୍ରାନ୍ତ ଲୋକ ଚିକିତ୍ସିତ ହେଉଥିଲେ । ତୁରନ୍ତ ୧୦ ଟି ଦମକଳ ଗାଡ଼ି ନିଆଁ ଲିଭାଇବାକୁ ପହଞ୍ଚିଥିଲା ସତ ହେଲେ ସେତେବେଳକୁ ୨ ଜଣ ବ୍ୟକ୍ତି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଆଜି ସକାଳ ସୁଦ୍ଧା ମୋଟ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଏ ଦୁର୍ଘଟଣାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଉକ୍ତ ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ କ୍ଷମା ମାଗିବା ସହିତ ପ୍ରତ୍ୟେକ ପରିବାରଙ୍କୁ ୫ ଲକ୍ଷ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି । ସେପଟେ ଦୁଇ ଦିନିଆ ଗସ୍ତରେ ବାଂଲାଦେଶ ଯାଇଥିବା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ମୁମ୍ବାଇର ଏହି ଅଗ୍ନିକାଣ୍ଡ ଦୁର୍ଘଟଣାରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ ପାଇଁ ମୁଁ ଦୁଃଖିତ । ମୁଁ ପ୍ରାର୍ଥନା କରୁଛି ଯେ ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ।

ସୋସିଆଲ ମିଡ଼ିଆରେ ଟ୍ଵିଟ କରି ପ୍ରଧାନମନ୍ତ୍ରୀ ଏହି ସୂଚନା ଦେଇଥିବା ବେଳେ ଜଣେ ଅଧିକାରୀ କହିଛନ୍ତି ଯେ ଏପର୍ଯ୍ୟନ୍ତ ୧୦ ଟି ମୃତଦେହ ଉଦ୍ଧାର କରାଯାଇଛି ଏବଂ ବାକି ଆହତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ତେବେ ଉକ୍ତ ହସ୍ପିଟାଲରେ ପ୍ରାୟ ୭୦ ଜଣ କୋଭିଡ଼ ରୋଗୀ ଚିକିତ୍ସିତ ହେଉଥିଲେ ।

ମୁଖ୍ୟମନ୍ତ୍ରୀ ଠାକେର କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ନିଆଁ ପ୍ରଥମେ ମଲ୍‌ର ଏକ ଦୋକାନରେ ଲାଗିଥିଲା, ହସ୍ପିଟାଲରେ ନୁହେଁ । ସେ ଆହୁରି ବି କହିଛନ୍ତି ଯେ ଯିଏ ଦୋଷୀ, ତାକୁ ନିଶ୍ଚେ ଦଣ୍ଡ ଦିଆଯିବ । ଗତ ବର୍ଷ କରୋନା ମହାମାରୀର ପ୍ରଥମ ଲହରରେ ମୁମ୍ବାଇ ଦେଶର ସବୁଠାରୁ ଅଧିକ ପ୍ରଭାବିତ ମେଟ୍ରୋ ସହର ଭିତରେ ଥିଲା ଯେଉଁଠି ହସ୍ପିଟାଲର ଶଯ୍ୟା ଏବଂ ଜୀବନ ରକ୍ଷାକାରୀ ଚିକିତ୍ସା ଉପକରଣର ଅଭାବ ଥିଲା । ତେଣୁ କେତେଟା ଅସ୍ଥାୟୀ ହସ୍ପିଟାଲ ସ୍ଥାପନ ବି କରାଯାଇଥିଲା । ଯାହାର ଅନୁମତି ଏହି ୩୧ ମାର୍ଚ୍ଚରେ ସମାପ୍ତ ହୋଇଥାନ୍ତା ।

ସେପଟେ ମୁମ୍ବାଇ ମେୟର କିଶୋରୀ ପେଡନେକର ନ୍ୟୁଜ୍ ଏଜେନ୍ସି ANI କୁ କହିଛନ୍ତି ଯେ ମୁଁ ପ୍ରଥମ ଥର ପାଇଁ ଏକ ମଲରେ ହସ୍ପିଟାଲ ଦେଖିଲି । ଏହା ଅତ୍ୟନ୍ତ ଗୁରୁତର ପରିସ୍ଥିତି । ୭ ଜଣ ରୋଗୀ ଭେଣ୍ଟିଲେଟରରେ ଥିଲେ । ୭୦ ଜଣଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ନିଆଁ ଲାଗିବା ପଛର କାରଣ ଖୋଜା ଯାଉ । କାରଣ ନ୍ୟୁଜ୍ ଏଜେନ୍ସି PTI ଅନୁଯାୟୀ, ଗତ ବର୍ଷ ନଭେମ୍ବରରେ ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ ଏହି ମଲକୁ ଅଗ୍ନି ନିରାପତ୍ତା ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ନୋଟିସ୍ ଜାରି କରିଥିଲା । ସୂଚନାଥାଉ ଯେ ହସ୍ପିଟାଲରେ ନିଆଁ ମଧ୍ୟ ରାତ୍ରି ପ୍ରାୟ ୧୨:୩୦ ସମୟରେ ଲାଗିଥିଲା ।

Leave a Reply

Your email address will not be published. Required fields are marked *