ମଲାଡ଼ ଇଷ୍ଟ କୁରାର ପୋଲିସ ଗୋଟିଏ ପରିବାରରୁ ହିଁ ଚୋର ଗ୍ୟାଙ୍ଗର ଖୁଲାସା କରିଛି । ସମସ୍ତେ ଅଳଙ୍କାର ଦୋକାନରେ ଚୋରି କରୁଥିଲେ ଏବଂ ପୁରା ପରିବାର ଏହି ଚୋରି ବ୍ୟବସାୟରେ ଜଡ଼ିତ । ଗିରଫ ପରେ ପରିବାର ସ୍ୱୀକାର କରିଛନ୍ତି ଯେ ମୁମ୍ବାଇ ସମେତ ମହାରାଷ୍ଟ୍ରର ୧୨ ରୁ ଅଧିକ ଅଞ୍ଚଳ ବ୍ୟତୀତ ତେଲେଙ୍ଗାନା, ରାୟପୁର ଭଳି ରାଜ୍ୟର ଅଳଙ୍କାର ଦୋକାନରେ ମଧ୍ୟ ସେମାନେ ଚୋରି କରିଛନ୍ତି । ଚୋର ପରିବାରର ୬ ଜଣଙ୍କୁ କୁରାର ପୋଲିସ ଗିରଫ କରିଥିବା ବେଳେ ବାକି ୩ ଜଣ ଫେରାର ହୋଇଯାଇଥିବା କୁହାଯାଉଛି ।
ସୂଚନା ମୁତାବକ ଜାନୁୟାରୀ ୧୩ ତାରିଖରେ କୁରାର ପୋଲିସ ଥାନା ଅଞ୍ଚଳରେ ଥିବା ମୟୂର ଜୁଏଲର୍ସ ଦୋକାନରୁ ୧୦ ଭରି ସୁନା ଅଳଙ୍କାର ଚୋରି ହୋଇଥିଲା । ଦୋକାନୀଙ୍କ କହିବାନୁସାରେ ଜାନୁୟାରୀ ୧୩ ଦିନ ଅପରାହ୍ନ ପ୍ରାୟ ୨ ଟା ବେଳେ କିଛି ଲୋକ କଳା-ହଳଦିଆ ଟ୍ୟାକ୍ସିରେ ଦୋକାନକୁ ଆସିଥିଲେ । କିଛି ସମୟ ପାଇଁ ସୁନା ଅଳଙ୍କାର ଦେଖିବା ପରେ ସେମାନେ ଚାଲିଗଲେ । ତାଙ୍କ ଯିବା ପରେ ୧୦ ଭରି ସୁନା ଅଳଙ୍କାର ଚୋରି ହୋଇ ସାରିଥିଲା ବୋଲି ଜଣାପଡ଼ିଲା ।

ଚୋରିର ସମସ୍ତ ଘଟଣା ଦୋକାନରେ ଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇସାରିଥିଲା । ସେହି ଆଧାରରେ କୁରାର ବରିଷ୍ଠ ପୋଲିସ ଇନ୍ସପେକ୍ଟର ପ୍ରକାଶ ଭାଲେଙ୍କ ନେତୃତ୍ୱରେ ଆସିଷ୍ଟାଣ୍ଟ ପୋଲିସ ଇନ୍ସପେକ୍ଟର ଗୋରଖନାଥ ଘାର୍ଗେ, ପୋଲିସ ନାୟକ ସୁନୀଲ କବଲେ, ସମରେଶ ଭୋଗଲେ, ରାଜେଶ ମୋରେଙ୍କ ଟିମ୍ ସମ୍ପୃକ୍ତ ଥିଲେ । ଏହାପରେ ଚୋର ଗ୍ୟାଙ୍ଗ ପୁନେରେ ରହୁଥିବା ଜାଣିବାକୁ ମିଳିଥିଲା । ୫ ଜଣ ଅଭିଯୁକ୍ତ ରେଖା ହେମରାଜ ଭାନି (୪୫), ଅକ୍ଷୟ ହେମରାଜ ଭାନି (୧୯), ଶେଖର ହେମରାଜ ଭାନି (୨୮), ରେଣୁକା ଶେଖର ଭାନି (୨୩), ନରେନ୍ଦ୍ର ଅଶୋକ ସାଲୁଙ୍କେ (୩୫) ଏବଂ କୁର୍ଲାର ଟ୍ୟାକ୍ସି ଡ୍ରାଇଭର ଆଶୁତୋଷ ମିଶ୍ରଙ୍କୁ ପୁନେର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଥିଲା ।
ମୁମ୍ବାଇ ସମେତ ମହାରାଷ୍ଟ୍ରର ବିଭିନ୍ନ ପୋଲିସ ଷ୍ଟେସନରେ ୫୦ ରୁ ଅଧିକ ଚୋରି ମାମଲା ରହିଛି ଏମାନଙ୍କ ବିରୋଧରେ । ଚୋରି ମାମଲାରେ ଏପର୍ଯ୍ୟନ୍ତ ଗୋଟିଏ ପରିବାରର ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ପାଖରୁ ଜବତ ହୋଇଛି ୧ ଲକ୍ଷ ୯୦ ହଜାର ମୂଲ୍ୟର ସୁନା ଅଳଙ୍କାର । ଏହାସହିତ ଫେରାର ଅଭିଯୁକ୍ତଙ୍କୁ ଖୋଜା ଚାଲିଛି ।