ନାବାଳକଙ୍କ ହତ୍ୟା ମାମଲା, ମୃତଦେହରେ କିଛି ଅଙ୍ଗ ନଥିବାର ଅଭିଯୋଗ। ନରବଳି ଅଭିଯୋଗରେ ମହିଳାଙ୍କୁ ଅଟକ…

ଅନୁଗୁଳ କିଆକଟାରେ ନାବାଳକ ସଞ୍ଜୀବଙ୍କ ହତ୍ୟା। ସନ୍ଦିଗ୍ଧ ସାଧିକା ଗୀତାଞ୍ଜଳି ବାଘ ଓ ତାଙ୍କ ୩ ପୁଅଙ୍କୁ ଉଠାଇ ନେଇ ଅଜ୍ଞାତ ସ୍ଥାନରେ ପଚରାଉଚରା କରୁଛି ପୋଲିସ। ଘଟଣା ଦିନ ଗୀତାଞ୍ଜଳି କେଉଁଠି ଥିଲେ? ଘଟଣା ପଛରେ ଏମାନଙ୍କ କଣ ସଂପୃକ୍ତି ସେ ସବୁ ଦିଗକୁ ନେଇ ଏବେ ପଚରାଉଚରା ଚାଲିଛି ।

ଅଭିଯୋଗ ଅନୁସାରେ, ମୃତକ ସଞ୍ଜୀବ ଅସୁସ୍ଥ ଥିବାରୁ ଅନୁଗୁଳ ଟୁସର ସ୍ଥିତ ଏକ ମଙ୍ଗଳା କୋଠିକୁ ତାଙ୍କୁ ଆଣିଥିଲେ ପରିବାର ଲୋକେ । ସେଠାରେ ନିଜକୁ ସାଧିକା ବୋଲାଉଥିବା ଗୀତାଞ୍ଜଳି ବାଘ ଗତ ଶନିବାର ସନ୍ଧ୍ୟାରେ ପୂଜାର୍ଚ୍ଚନା ପରେ, ସଞ୍ଜୀବଙ୍କ ମାଆଙ୍କୁ ବାରଣ୍ଡାରେ ଶୋଇବାକୁ କହିଥିଲା । ସଞ୍ଜୀବଙ୍କୁ ମଙ୍ଗଳା କୋଠି ଭିତରକୁ ନେଇଯାଇଥିଲେ ଗୀତାଞ୍ଜଳି । ଆଉ ସକାଳ ହେଲା ବେଳକୁ ପୁଅ ନିଖୋଜ ହୋଇଯାଇଥିଲା ଓ ତା ବୀଭତ୍ସ ମୃତଦେହ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା।

ଗତକାଲି ରାତିରେ ମୃତଦେହକୁ ତରବରିଆ ଭାବେ ପୋଲିସ୍ ପୋଡ଼ି ଦେଇଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ମୃତଦେହ ବ୍ୟବଚ୍ଛେଦ ପରେ ରାତି ଅଧରେ ଅଳ୍ପ କିଛି ଲୋକଙ୍କୁ ନେଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଖାଲି ସେତିକି ନୁହେଁ, ମୃତଦେହରୁ ଅନେକ ଅଙ୍ଗପ୍ରତଙ୍ଗ ଗାଏବ ଥିବା ବି ଅଭିଯୋଗ କରିଛନ୍ତି ସମ୍ପର୍କୀୟ ।

ନରବଳି ଅଭିଯୋଗକୁ ନେଇ ଏବେ ତଦନ୍ତ ଚାଲିଛି । ମୃତଦେହରୁ ଗାଏବ ଥିବା ଅଙ୍ଗକୁ ନେଇ ଏବେ ଖୋଳତାଡ଼ କରାଯାଉଛି ବୋଲି ଅନୁଗୁଳ ଏସପି କହିଛନ୍ତି ।