ଚାକିରୀ ପଛରେ ନଗୋଡ଼ାଇ ନିଜ ଜମିରେ ଛତୁ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ଜଣେ ଯୁବ ବୈଜ୍ଞାନିକ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟାନ ଯୋଜନା ଋଣ ଆଣି ଧଳା ବଟନ ଛତୁ ଚାଷ କରି ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି। ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ତଳକିଆ ଗ୍ରାମର ଯୁବ ବୈଜ୍ଞାନିକ ବିନୟ ଭୂଷଣ ପଣ୍ଡା।
ବିନୟ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟାନ ଯୋଜନାରେ ୧କୋଟି ଟଙ୍କା ଋଣ ଆଣି ନିଜ ଜମିରେ ୧୦ହଜାର ବେଡ଼ ବିଶିଷ୍ଟ ଧଳା ବଟନ ଛତୁ ଚାଷ କରିଛନ୍ତି। ଜୈବିକ ପଦ୍ଧତିରେ ଛତୁ ଚାଷ କରିଥିବା ବେଳେ ମାସକୁ ସବୁ ଖର୍ଚ୍ଚ ଯାଇ ୨ଲକ୍ଷ ଟଙ୍କା ଆୟ କରିପାରୁଛନ୍ତି। ବାଲେଶ୍ଵର ଜିଲ୍ଲାରେ ଏହି ଧଳା ବଟନ ଛତୁ ଚାଷ ପ୍ରଥମ କରି ହେଉଥିବାରୁ ବଜାରରେ ଭଲ ବିକ୍ରି ହେଉଥିବା ବିନୟ କହିଛନ୍ତି।
ବିନୟ ବଟାନୀରେ ଏମଏସସି, ଏମଫିଇଲ, ପିଏଚଡି, ପରେ କୃଷି ଉପରେ ରିସର୍ଚ୍ଚ କରୁଥିଲେ। ପରେ ଗ୍ରାମାଞ୍ଚଳରେ ଜଣେ ଭଲ ଚାଷୀ ହେବା ସହ ନିଜ ଅଞ୍ଚଳର ଯୁବକ ମାନଙ୍କୁ ରୋଜଗାର ଦେବା ପାଇଁ ଚାଷ ଆରମ୍ଭ କରିଥିଲେ। ଏବେ ବିନୟ ଜଣେ ସଫଳ ଚାଷୀ ଭାବେ ବାଲେଶ୍ଵର ଜିଲ୍ଲାରେ ବେଶ ଜଣାଶୁଣା।
ଛତୁ ହେବା ପରେ ତାକୁ ତୋଳି ବାହାଘର, ଵ୍ରତଘର, ଆଖ ପାଖ ବଜାର ବିକ୍ରି ନିମନ୍ତେ ବାଲେଶ୍ଵର ଜିଲ୍ଲାକୁ ପଠାଇଥାନ୍ତି। ଅର୍ଡର ଅଧିକ ଆସୁଥିବାରୁ ଆହୁରି ଅଧିକ ଛତୁ ଚାଷ କରିବାର ଯୋଜନା କରୁଥିବାର ସୂଚନା ଦେଇଛନ୍ତି ବିନୟ।