ସଂସ୍କାର :ମହାଲିଙ୍ଗ ସନସାଇନ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ନିଖୋଜ ଓ ହତ୍ୟା ଘଟଣା ଉପରୁ ପରଦା ଉଠିଛି। ସ୍କୁଲର ମାଲିକ ତଥା ଠିକାଦାର ଗୋବିନ୍ଦ ସାହୁ ହିଁ ମମିତାଙ୍କୁ ହତ୍ୟା କରିବା ପରେ ପୋଡି ମାଟି ତଳେ ପୋତି ଦେଇଥିବା କହିଛନ୍ତି। ନିଜ ବ୍ୟଭିଚାର ଓ ପରକୀୟାର ପ୍ରମାଣକୁ ଲୁଚାଇବା ପାଇଁ ସେ ଏଭଳି କାମ କରିଛନ୍ତି। ଜଣେ ସ୍କୁଲ ମାଲିକରୁ ସେ ପାଲଟିଗଲେ ହତ୍ୟାକାରୀ। ନିଜ ପାପ ସାମ୍ରାଜ୍ୟର ପ୍ରମାଣ ଲୁଚାଇବାକୁ ଯାଇ ଗୋବିନ୍ଦ ଏକ ଜଘନ୍ୟ କାଣ୍ଡରେ ଫସିଗଲେ। କିନ୍ତୁ ଏହି ଘଟଣା ପରେ ଗୋବିନ୍ଦର ଅନେକ ଗହନ କଥା ସାମ୍ନାକୁ ଆସିବାରେ ଲାଗିଛି।
ରାଜ୍ୟର ଏକ ପ୍ରତିଷ୍ଠିତ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏକା ଗୋବିନ୍ଦ ତିନିଜଣ ଶିକ୍ଷୟିତ୍ରୀଙ୍କୁ ନଚାଉଥିଲା। ସନ୍ସାଇନ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ପଦ ପାଇଁ ତିନିଜଣ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଚାଲିଥିଲା ଟଣାଓଟଣା। ଅନ୍ୟପଟେ ମମିତା ସ୍କୁଲର ଅଧ୍ୟକ୍ଷା ନହେଲେ ବି ଅଧ୍ୟକ୍ଷା ଭାବେ ସ୍କୁଲର ସମସ୍ତ ଦାୟିତ୍ୱ ତୁଲାଉଥିଲେ। କିନ୍ତୁ ମମିତାଙ୍କ ଉପରେ ଇର୍ଷା କରି ତାଙ୍କୁ ପଦରୁ ହଟାଇବା ସହିତ ନିଜେ ଅଧକ୍ଷା ହେବା ଅନ୍ୟ ଦୁଇ ଜଣ ଶିକ୍ଷୟିତ୍ରୀ ବହୁ କସରତ କରୁଥିଲେ। ଅନ୍ୟପଟେ ଗୋବିନ୍ଦ ମମିତାକୁ ବିଶ୍ୱାସକୁ ନେଇଥିବା ବେଳେ ଅନ୍ୟ ଦୁଇଜଣ ମଧ୍ୟ ଗୋବିନ୍ଦର ନିକଟତର ହେବାକୁ ବାରମ୍ବାର ଉଦ୍ୟମ କରୁଥିଲେ। ମମିତାର ସମସ୍ତ ଦୋଷ ଦୁର୍ବଳତା ଏହି ଦୁଇ ଜଣ ଶିକ୍ଷୟିତ୍ରୀ ଗୋବିନ୍ଦକୁ ଜଣାଉଥିଲେ। ଏପରିକି ଲକଡାଉନ ପରେ ସ୍କୁଲ ଖୋଲିଲେ ମମିତାକୁ ହଟାଇ ଅନ୍ୟ ଦୁଇ ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ଜଣକୁ ଅଧ୍ୟକ୍ଷା କରିବାର ଥିଲା ବୋଲି ଜଣାପଡିଛି। ମାତ୍ର ମମିତା ସେ ଯୋଜନା ସମ୍ପର୍କରେ ଜାଣିପାରି ଅନ୍ୟ ଦୁଇ ଶିକ୍ଷୟିତ୍ରୀଙ୍କୁ ଗୋବିନ୍ଦର କଳାକାରନାମା ସମ୍ପର୍କରେ କହିଥିଲେ, କିଛି ପ୍ରମାଣ ବି ଦେଖାଇଥିଲେ।
ସେ ସବୁ ଶିକ୍ଷୟିତ୍ରୀଙ୍କ ସହିତ ଖେଳୁଛି ବୋଲି ବୁଝାଇବା ପରେ ତିନିଜଣଯାକ ମିଶିଯାଇଥିଲେ । ସମସ୍ତେ ମିଶି ଗୋବିନ୍ଦର ପର୍ଦ୍ଦାଫାସ କରିବାକୁ ଯୋଜନା କରିଥିଲେ । ସେମାନେ ମିଳିତ ଭାବରେ ଏକ ଫେସବୁକ୍ ଆଇଡି ଖୋଲି ସେଥିରେ ଗୋବିନ୍ଦର ଆପତ୍ତିଜନକ ଭିଡିଓ ଏବଂ ଫଟୋ ସବୁ ଛାଡ଼ିବାର ଧମକ ଦେଇଥିଲେ । ଗୋବିନ୍ଦ ଏସବୁ ଜାଣିବାପରେ ମାମଲାକୁ ଚତୁରତାର ସହିତ ହ୍ୟାଣ୍ଡେଲ କରିଥିଲା। ତେବେ ଅନ୍ୟ ଦୁଇ ଶିକ୍ଷୟିତ୍ରୀଙ୍କୁ ବୁଝାଇବାରେ ସମର୍ଥ ହୋଇଥିବା ବେଳେ ମମିତାକୁ କିନ୍ତୁ ନିୟନ୍ତ୍ରଣକୁ ନେଇପାରିନଥିଲା ଗୋବିନ୍ଦ। ଶେଷରେ ମମିତାଠାରୁ ବ୍ଲାକ୍ମେଲର ଶିକାର ହେବାପରେ ତାକୁ ରାସ୍ତାରୁ ହଟାଇ ଦେଇଥିବା ତାକୁ ହତ୍ୟା କରିଛି ବୋଲି ଗୋବିନ୍ଦ ପୁଲିସ ଆଗରେ ପ୍ରକାଶ କରିଛି ।