ଚାରିଆଡ଼େ କରୋନା ଭାଇରସକୁ ନେଇ ଭୟ । ଏହି ସମୟରେ ମାଂସ ଖାଇବାରେ ଯଦିଓ କୌଣସି ବିପଦ ନାହିଁ, ତଥାପି ଗୋଟେ ଅନ୍ଧବିଶ୍ଵାସ ଯୋଗୁ ମଟନ୍ ଏବଂ ଚିକେନ୍ ବିକ୍ରି ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ମାଂସହାରୀମାନେ ଏବେ ପଣସକୁ ଏକ ଉପଯୋଗୀ ବିକଳ୍ପ ବୋଲି ମନେ କରୁଛନ୍ତି ।
ଦ୍ରୁତ ଗତିରେ କାୟା ବିସ୍ତାର କରୁଥିବା କରୋନା ଭାଇରସ୍ ପୀଡ଼ିତ ସଂଖ୍ୟା ଭାରତରେ ବର୍ତ୍ତମାନ ୪୮ରୁ ଅଧିକ ହେବ । ସରକାର ଏକ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ ଆରମ୍ଭ କରି ପ୍ରସିଦ୍ଧ ଏହି ମହାମାରୀକୁ ନେଇ ଉଠୁଥିବା ଗୁଜବ ଓ ଅନ୍ଧବିଶ୍ଵାସକୁ ସଂପୂର୍ଣ୍ଣ ରୂପେ ଦୂର କରିବା ପାଇଁ ଅଣ୍ଟା ଭିଡ଼ିଛି । ଗୁଜବଟି ହେଲା, କରୋନା ଭାଇରସ୍ ବିସ୍ତାରକୁ ରୋକିବା ପାଇଁ ମାଂସ ଖାଇବାଠାରୁ ଦୂରେଇ ରହିବା ଉଚିତ୍ । ଯଦିଓ ଏହା ଏକ କଳ୍ପିତ କଥା ମାତ୍ର ।
ଦେଶର ବିଭିନ୍ନ ସ୍ଥାନରେ କରୋନା ଭାଇରସ୍ ଭୟ ଯୋଗୁଁ ପଣସର ମୂଲ୍ୟ ଏବେ ଆକାଶଛୁଆଁ । ଆଇ.ଏନ୍.ଏସ୍. ରିପୋର୍ଟ ଅନୁଯାୟୀ ପରିବା ଦର କେଜି ୧୨୦ ଟଙ୍କା ଅଛି, ଯାହାର ନିୟମିତ ମୂଲ୍ୟ ୫୦ ଟଙ୍କାର ୧୨୦ ପ୍ରତିଶତ ଅଟେ । ଚାହିଦା କମ ଥିଵାରୁ ଚିକେନ୍ ମୂଲ୍ୟ ୮୦ ଟଙ୍କାକୁ ଖସି ଆସିଛି ।
ବିରିୟାନି ସାଧାରଣତଃ ଏକ ମାଂସ ଭିତ୍ତିକ ଭାତ ଥାଳିକୁ ବୁଝାଏ । ହେଲେ ଏବେ ଚିକେନ୍ କିମ୍ବା ମଟନ୍ ଅପେକ୍ଷା ପଣସକଠା ସହିତ ପ୍ରସ୍ତୁତ ହେଉଛି ବିରିୟାନି ଥାଳି । ଦେଶର ସାଂପ୍ରତିକ ସ୍ୱାସ୍ଥ୍ୟ ଅବସ୍ଥାକୁ ଦୃଷ୍ଟିରେ ରଖି ପଣସକଠା ଖାଇବା ଏକ ଉତ୍ତମ ବିକଳ୍ପ ଅଟେ ବୋଲି ପୂର୍ଣ୍ଣିମା ଶ୍ରୀବାସ୍ତବ କହିଛନ୍ତି । ମଟନ୍ ବିରିୟାନି ପରିବର୍ତ୍ତେ ପଣସକଠା ବିରିୟାନି ଖାଇବା ଅଧିକ ଉପାଦେୟ ଓ ସ୍ଵାଦଯୁକ୍ତ ତଥା ନିରାମିଷ ବୋଲି ସେ ଆଇ.ଏନ୍.ଏସ୍. କୁ ମଧ୍ୟ କହିଛନ୍ତି । ସମସ୍ୟା କେବଳ ବଜାରରେ ଏହା ଏବେ ମିଳିବା କଷ୍ଟକର ହୋଇପଡ଼ିଛି ।
ନିକଟରେ ଗୋରାଖପୁରରେ କୁକୁଡ଼ା ଫାର୍ମ ଆସୋସିଏସନ ଏକ ଚିକେନ୍ ମେଳାର ଆୟୋଜନ କରିଥିଲା ଯାହାର ଉଦ୍ଦେଶ୍ୟ ଥିଲା “ମାଂସ ଖାଇବା ଦ୍ଵାରା କରୋନା ଭାଇରସ୍ ସୃଷ୍ଟି ହୁଏ”କୁ ଭୁଲ ପ୍ରମାଣ କରିବା । ଥାଳି ଭର୍ତ୍ତି ଚିକେନ ମାତ୍ର ୩୦ ଟଙ୍କାରେ ପରଷି ଲୋକଙ୍କୁ ନିଜ ପସନ୍ଦର ଆମିଷ ଭୋଜନ ଖାଇବାକୁ ଉତ୍ସାହିତ କରିବା ସହିତ ମେଳା ପାଇଁ ୧୦୦୦ ଚିକେନ ରାନ୍ଧି ସବୁ ବିକ୍ରି ବି କରିଥିଲୁ ବୋଲି ଫାର୍ମ ଆସୋସିଏସନ୍ ପକ୍ଷରୁ କୁହାଯାଇଛି ।