ସାରା ଦେଶରେ ଚହଳ ପକେଇଥିବା କରୋନା ଭାଇରସ ବର୍ତ୍ତମାନ ବାରମ୍ବାର ନିଜର ରୂପ ବଦଳାଇବାରେ ଲାଗିଛି । ଏ ସମୟରେ ଆନ୍ଧ୍ରପ୍ରଦେଶରେ ଚିହ୍ନଟ ହୋଇଛି କରୋନାର ଆଉ ଏକ ନୂଆ ଭ୍ୟାରିଏଣ୍ଟ । ଏପି ଷ୍ଟ୍ରେନ୍ ନାମକ ଏହି ନୁଆ ଷ୍ଟ୍ରେନ୍ ବୌଜ୍ଞାନିକଙ୍କ ଭାଷାରେ N440K । ସେଣ୍ଟର ଫର ସେଲ୍ୟୁଲାର ଆଣ୍ଡ ମଲିକ୍ୟୁଲାର ବାୟୋଲୋଜି (CCMB) ଏହି ନୁଆ ଭ୍ୟାରିଏଣ୍ଟର ଚିହ୍ନଟ କରିଥିବା ବେଳେ ଏହା ଯେ ପୂର୍ବ ଭାଇରସ ଠାରୁ ୧୫ ଗୁଣା ଅଧିକ ସଂକ୍ରାମକ ବୋଲି ଚେତେଇ ଦେଇଛି । ଏହି ଭ୍ୟାରିଏଣ୍ଟର ଶିକାର ହେଉଥିବା ବ୍ୟକ୍ତି ମାତ୍ର ୩ ରୁ ୪ ଦିନ ଭିତରେ ଗୁରୁତର ହୋଇପଡୁଥିବା ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ ପ୍ରଥମେ ଆନ୍ଧ୍ରପ୍ରଦେଶର କୁରୁନଲରେ ଏହି ନୂଆ ଷ୍ଟ୍ରେନ୍ ଚିହ୍ନଟ କରାଯାଇଥିଲାବେଳେ ଏହି N440K ଭ୍ୟାରିଏଣ୍ଟ B1.617 ଏବଂ B1.618 ଭ୍ୟାରିଏଣ୍ଟ ଠାରୁ ଅଧିକ ଭୟଙ୍କର ବୋଲି ଜଣାପଡ଼ିଛି । ବର୍ତ୍ତମାନ ଦେଶରେ ମିଳିଥିବା ସମସ୍ତ ଭ୍ୟାରିଏଣ୍ଟର ଟେଷ୍ଟିଂ ଚାଲିଛି । କେଉଁ ଭ୍ୟାରିଏଣ୍ଟ କେତେ ଭୟଙ୍କର ତା’ର ପରୀକ୍ଷଣ ଚାଲିଛି ବୋଲି ଭିଶାଖପାଟଣା କଲେକ୍ଟର ସୂଚନା ଦେଇଛନ୍ତି । ପରୀକ୍ଷଣରୁ ଜଣାପଡ଼ିଛି ଯେ ଏହି ଏପି ଷ୍ଟ୍ରେନ୍ ଖୁବ୍ଶୀଘ୍ର ସଂକ୍ରମଣ ବଢ଼ାଉଛି । ଏହି ଭାଇରସ ସମ୍ପର୍କରେ ଅଧିକ ତଥ୍ୟ ଏପର୍ଯ୍ୟନ୍ତ ମିଳି ନଥିବାରୁ ବୈଜ୍ଞାନିକ ଓ ଡାକ୍ତରମାନେ ଚିନ୍ତାରେ ପଡ଼ିଗଲେଣି । କାରଣ ଏହି ଏପି ଷ୍ଟ୍ରେନ୍ ଖୁବ୍ ଶୀଘ୍ର ଯୁବବର୍ଗଙ୍କୁ ଟାର୍ଗେଟ୍ କରୁଛି । ଏମିତିକି ରୋଗପ୍ରତିରୋଧକ ଶକ୍ତି ଅଧିକ ଥିବା ବ୍ୟକ୍ତି ବି ଏଥିରେ ସଂକ୍ରମିତ ହେଉଛନ୍ତି ।
ତେବେ ସୂଚନାଥାଉ ଯେ ବର୍ତ୍ତମାନ ଦକ୍ଷିଣ ଭାରତରେ B.1, B.1.1.7, B.1.351, B.1.617 ଏବଂ B.1.36* (N440K) କରୋନାରେ ଏହି ୫ ଟି ନୂଆ ଭ୍ୟାରିଏଣ୍ଟ ଚିହ୍ନଟ ହୋଇଛି । ପ୍ରଥମେ ଆନ୍ଧ୍ରପ୍ରଦେଶର ଚିହ୍ନଟ ହୋଇଥିବା ଏପି ଷ୍ଟ୍ରେନ୍ ବର୍ତ୍ତମାନ ଦକ୍ଷିଣ ଭାରତର ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକା ଓ ତେଲେଙ୍ଗାନାରେ ତାଣ୍ଡବ ରଚୁଥିବା ବେଳେ ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଏହି ଷ୍ଟ୍ରେନ୍ ପହଞ୍ଚି ସାରିଛି । ମହାରାଷ୍ଟ୍ରରେ ବର୍ତ୍ତମାନ ସମୟରେ B.1.617 ଭ୍ୟାରିଏଣ୍ଟ ଅଧିକ ସକ୍ରିୟ ରହିଥିଲାବେଳେ ସେଠାରେ ମଧ୍ୟ ଏପି ଷ୍ଟ୍ରେନ୍ ପହଞ୍ଚି ସାରିଥିବା ନେଇ ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି । ବର୍ତ୍ତମାନ ମହାରାଷ୍ଟ୍ରରେ ଉପରୋକ୍ତ ୫ ଟି ସହିତ B.1.618 ଭ୍ୟାରିଏଣ୍ଟର ବି ଶିକାର ହେଉଛନ୍ତି ଲୋକେ ।
ବିଶେଷଜ୍ଞଙ୍କ ମତାନୁସାରେ ଏପି ଷ୍ଟ୍ରେନ୍ ବା N440K କରୋନାର ଏକ ନୂଆ ମ୍ୟୁଟାଣ୍ଟ । ଏହାର ଲିନିଏଜ୍ ଏତେ ଶକ୍ତିଶାଳି ନଥିଲେ ବି ଦକ୍ଷିଣ ଭାରତ ପାଇଁ ଏହା ଚିନ୍ତାରକାଣ ପାଲଟିଛି । ଏହାର ଦ୍ରୁତ ସଂକ୍ରାମକ ଗୁଣ ଯୋଗୁ ଗତ ୭ ଦିନ ଭିତରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ ଓ ତେଲେଙ୍ଗାନାରେ ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି ।