ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲରେ ଏକ ପରିତ୍ୟକ୍ତ ବୋରୱେଲ ମଧ୍ୟରେ କେହି ଫିଙ୍ଗି ଦେଇଥିବା ନବଜାତ ଶିଶୁକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଛୁଆଟି ବୋରୱେଲରେ ପଡ଼ିଥିବା ଜଣାପଡ଼ିବାର ସାଢ଼େ ୬ ଘଣ୍ଟା ପରେ ତାକୁ ଉଦ୍ଧାର କରାଯାଇଛି। ଉଦ୍ଧାର ହେବା ପରେ ଛୁଆଟିକୁ ଡାକ୍ତରଖାନାରେ ରଖାଯାଇଛି। ଭଗବାନଙ୍କ କୃପାରୁ ଛୁଆଟି ସୁସ୍ଥ ରହିଛି, ଯାହା କୌଣସି ଚତ୍ମକାରଠୁ କମ ନୁହେଁ। ଆଉ ପୁଣି ଥରେ ଦେବଦୂତ ସାଜିଲେ ଅଗ୍ନିଶମ ବାହିନୀ, ଓଡ୍ରାଫ ଓ ଡାକ୍ତରୀ ଟିମ୍।
ଉଦ୍ଧାର ହେଇଥିବା ନବଜାତ ଶିଶୁ କନ୍ୟା ୩ ଦିନର ବୋଲି ଜଣାପଡିଛି । ସେପଟେ ଶିଶୁଟି ପ୍ରିମ୍ୟାଚ୍ୟୁର ଭାବେ ଜନ୍ମ ହୋଇଥିଲା ବୋଲି ସୂଚନା ମିଳିଛି। ଶିଶୁ କନ୍ୟାର ଓଜନ ୧ କେଜି ୬୦୦ ଗ୍ରାମ ରହିଛି। ଗୋଟିଏ ମଣିଷ ଭୁଲ କରୁଛି, ମାତ୍ର ଗୋଟିଏ ସରଳ ନିଷ୍ପାପ ଶିଶୁ ତା’ର ଦଣ୍ଡ ପାଉଛି। ଏହି ଘଟଣା ପରେ ଲାଗୁଛି ସତେ ଯେମିତି ଆମ ସମାଜରୁ ମାନବିକତା ହଜିଯାଇଛି। ଏହି ଘଟଣା ଆମ ସମାଜ ପାଇଁ ଏକ ଲଜ୍ଜାଜନକ ଘଟଣା। ଏହାକୁ ଯେତେ ନିନ୍ଦା କଲେ ବି କମ୍ ହେବ। ମଣିଷ ଯେତେବେଳେ ନିଜତ୍ୱ ହରାଇବସେ ସେତେବେଳେ ସେ ପଶୁ ପାଲଟିଯାଏ। ଈଶ୍ୱରଙ୍କ ସୃଷ୍ଟିରେ ମଣିଷକୁ ଶ୍ରେଷ୍ଠ ଜୀବ କୁହାଯାଉଥିବା ବେଳେ ଏବେ ସେହି ମଣିଷଠାରେ ସତେଯେମିତି ମାନବିକତା ମରିଯାଇଛି। ଏହି ଘଟଣା କାହିଁକି ଘଟିଲା, ଏଥିପାଇଁ କିଏ ଦାୟୀ ତା’ର ତଦନ୍ତ ହେବା ଆବଶ୍ୟକ।
ସମୟ ପ୍ରାୟ ଅପରାହ୍ଣ ୩ଟା। ଲାରିପାଲି ଜଙ୍ଗଲରେ ଥିବା ଉକ୍ତ ପରିତ୍ୟକ୍ତ ବୋରୱେଲ ଭିତରୁ ଶୁଣିବାକୁ ମିଳିଥିଲା କଅଁଳା ଶିଶୁର କାନ୍ଦ। କାନ୍ଦ ଶୁଣି କିଛି ଲୋକ ବୋରୱେଲ ଭିତରେ ଶିଶୁଟିଏ ପଡ଼ିଛି ବୋଲି ଜାଣିପାରିଲେ। ଖବର ପାଇ ପୋଲିସ ଓ ପ୍ରଶାସନ ଆରମ୍ଭ କରିଥିଲେ ରେସ୍କ୍ୟୁ ଅପରେସନ୍।
୮ ଘଣ୍ଟାର ଅପରେସନ ସଫଳ ହୋଇଛି। ବିଳମ୍ବ ନକରି ପ୍ରଥମେ ବୋରଓ୍ବେଲକୁ ଅକ୍ସିଜେନ ଦିଆଯାଇଥିଲା। ପାଇପ୍ ମଧ୍ୟରେ ଜାକି ହୋଇ ରହିଥିବା ଛୁଆଟିର ମୁଣ୍ଡ ତଳକୁ ଥିଲା। ହେଲେ ସେ କାନ୍ଦୁଥିବାରୁ ଆଶା ବଢ଼ିଥିଲା। ରାତି ହେବା ସତ୍ତ୍ୱେ ଲାଇଟ୍ ଲଗାଯାଇ ଅପରେଶନ ଜାରି ରହିଥିଲା। ମାଟି ଖୋଳା ଶେଷ ହେବା ପରେ ଲୁହା ପାଇପ୍କୁ କଟାଯାଇ ସତର୍କତାର ସହ ଶିଶୁଟିକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି।