କରୋନା ସଂକ୍ରମଣକୁ ରୋକିବାକୁ ସରକାର ନାନା ପଦକ୍ଷେପମାନ ନେଉଛନ୍ତି । ତଥାପି ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବଢିବାରେ ଲାଗିଛି । ଏଣେ ଆଉ ଗୋଟାଏ ଦିନ ପରେ ସ୍ଵାଧୀନତା ଦିବସ । ଅଗଷ୍ଟ ୧୫ ତାରିଖ ଦିନଟିକୁ ସାରା ଦେଶ ପାଳନ କରେ । ହେଲେ ଚଳିତ ବର୍ଷ ପ୍ରତି ସ୍କୁଲରେ ସ୍ୱାଧୀନତା ଦିବସ ପାଳନ ତ ହେବ ମାତ୍ର କୌଣସି ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାକୁ ଅନୁମତି ମିଳିବ ନାହିଁ । ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଦ୍ଵାରା ଏହି ନୂଆ ଗାଇଡ଼ଲାଇନ ଜାରି ହୋଇଛି ।
ସୂଚନା ଅନୁସାରେ ଜାରି କରାଯାଇଥିବା ନୂଆ ଗାଇଡ଼ଲାଇନ ପାଳନ ପୂର୍ବକ ଛାତ୍ରଛାତ୍ରୀଙ୍କ ବିନା ଉପସ୍ଥିତି ଚଳିତ ବର୍ଷ ପାଳନ ହେବାକୁ ଯାଉଛି ସ୍ୱାଧୀନତା ଦିବସ । କେବଳ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ସ୍କୁଲରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ମିଳିଥିବା ବେଳେ ସେଦିନ ସକାଳ ୯ ଟାରୁ ୧୧ଟା ଭିତରେ ପତକା ଉତ୍ତୋଳନ କରାଯିବାର ଯୋଜନା ଅଛି ।
ତେବେ ପତକା ଉତ୍ତୋଳନ ସମୟରେ ୧୦ ଜଣରୁ ଅଧିକ ବ୍ୟକ୍ତି ସ୍କୁଲ ପରିସରରେ ଏକାଠି ହୋଇ ପାରିବେ ନାହିଁ । ଏହାସହିତ ପତାକା ଉତ୍ତୋଳନ ସମୟରେ ସାମାଜିକ ଦୂରତା ସହିତ ମାସ୍କ ବ୍ୟବହାର ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ରହିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସ୍ଵାଧୀନତା ଦିବସରେ କୌଣସି ଖାଦ୍ୟ ପଦାର୍ଥ ବଣ୍ଟା ଯିବ ନାହିଁ ।