ସଂସ୍କାର : ରାଜ୍ୟରେ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନର ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ତତ୍ପର ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ରାଜ୍ୟର ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଗତକାଲି ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟରେ ସଂକ୍ରମଣ ବୃଦ୍ଧିକୁ ନେଇ ନୂଆ ଗାଇଡଲାଇନ୍ ଘୋଷଣା କରିଛନ୍ତି ।
ସେ କହିଛନ୍ତି ଯେ, ରାଜ୍ୟର ସମସ୍ତ ସହରାଞ୍ଚଳରେ ଏଣିକି ରାତି ୯ଟାରୁ ନାଇଟ୍କର୍ଫ୍ୟୁ ଲାଗୁ କରାଯାଇଛି। ଆସନ୍ତା ଜାନୁଆରୀ ୭ ତାରିଖ ଠାରୁ ଏହି ନିୟମ ଲାଗୁ ହେବ। ଜାନୁଆରୀ ୭ ତାରିଖ ଭୋର ୫ଟାରୁ ଫେବୃଆରୀ ୧ ତାରିଖ ଭୋର ୫ଟା ଯାଏଁ କର୍ଫ୍ୟୁ ଲାଗୁରହିବ। ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବା ଜାରି ରହିବ । ଏହା ସହିତ ରାଜ୍ୟରେ ବନ୍ଦ ରହିବ କ୍ଲାସରୁମ୍ ପାଠପଢା। ଦ୍ବାଦଶ ଶ୍ରେଣୀ ଯାଏଁ ଜାରିରହିଥିବା କ୍ଲାସ୍ ରୁମ୍ ପାଠପଢା ବନ୍ଦ ରହିବ । ପୂର୍ବପରି ଅନଲାଇନ୍ରେ ପାଠପଢା ଜାରି ରହିବ ।
ଏସ୍ଆର୍ସି ଜାରି କରିଥିବା ନୂଆ ଗାଇଡଲାଇନ୍ ଅନୁଯାୟୀ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ୍ । ଏହା ସହିତ ୧୦୦ ଲୋକଙ୍କୁ ନେଇ ବିବାହ କାର୍ଯ୍ୟ ଏବଂ ବ୍ରତଘର କାର୍ଯ୍ୟ ଚାଲୁରହିବ । ଅନ୍ତୋଷ୍ଟି କ୍ରିୟାରେ ୫୦ରୁ ଉର୍ଦ୍ଧ୍ବ ଲୋକ ସାମିଲ ହୋଇପାରିବେ ନାହିଁ । ଚାଲୁ ରହିବ ମାଟ୍ରିକ୍ ପରୀକ୍ଷା । ରାଜ୍ୟରେ ହାଟ, ଦୋକାନ ବଜାରରେ ଥିବା ଦୋକାନ ବଜାର ମାଲିକମାନଙ୍କୁ କୋଭିଡ ଗାଇଡଲାଇନ୍ ପାଳନ କରିବା ପାଇଁ ନିର୍ଦେଶ ଦିଆଯାଇଛି । କୋଭିଡ ନିୟମ ପାଳନ ନକଲେ ଦୋକାନକୁୁ ୭ ଦିନ ପାଇଁ ସିଲ୍ କରାଯିବ।
ରାଜ୍ୟରେ ପିକ୍ନିକ୍ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି । କୌଣସି ହୋଟେଲ, ମଲ୍, କନଭେନସନ୍ ସେଣ୍ଟର ଏବଂ କଲ୍ୟାଣ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ । କୌଣସି ଶିକ୍ଷାନୁଷ୍ଠାନ ପିକ୍ନିକ୍ କିମ୍ବା ଏନକରସନ୍ କରିପାରିବେ ନାହିଁ। ଧାର୍ମିକ ପୀଠମାନଙ୍କରେ କେବଳ ନୀତିକାନ୍ତି କରାଯିବ। କୌଣସି ଗହଳି କରାଯିବ ନାହିଁ । ଏ ନେଇ ସ୍ଥାନୀୟ ପ୍ରଶାସନ ଆଲର୍ଟ ରହିବ । ହୋଟେଲ, ରେଷ୍ଟୁରାଣ୍ଟ, ଢାବା, ପବ୍ମାନଙ୍କରେ ପୂର୍ବରୁ ଶତ ପ୍ରତିଶତ ଲୋକ ବସୁଥିଲେ । କିନ୍ତୁ ଏବେ ତାହା ୫୦ ପ୍ରତିଶତରେ ଚାଲୁରହିବ । ସେହିଭଳି ରାସ୍ତା ଘାଟରେ ଷ୍ଟ୍ରିଟ୍ ଭେଣ୍ଡରମାନେ ରାତି ୯ଟା ଯାଏଁ ନିଜର ବ୍ୟବସାୟ କରିପାରିବେ । ଏହା ସହିତ ସେମାନେ ଗ୍ରାହକଙ୍କୁ ସାମାଜିକ ଦୂରତା ପାଳନ କରିବା ପାଇଁ କହିବେ । ପ୍ଲବିକ୍ ଟ୍ରାନ୍ସପୋର୍ଟ ଯେପରିକି, ବସ୍, କାର୍, ଟ୍ୟାକ୍ସିମାନଙ୍କରେ ଯାତ୍ରା କରିବାବେଳେ ମାସ୍କ ପରିଧାନ ଉପରେ ଗୁରୁତ୍ବ ଦେବେ । ରାଜନୈତିକ ରାଲି ଏବଂ ଧାରଣାକୁ ସମ୍ପୂର୍ଣ୍ଣ ଭାବେ ମନା କରାଯାଇଛି ।
ଯାତ୍ରା ହେଉଥିବା ସ୍ଥାନମାନଙ୍କରେ ସାମାଜିକ ଦୂରତା ପାଳନ କରିବାକୁ ମାଲିକମାନଙ୍କୁ ନିର୍ଦେଶ ଦିଆଯାଇଛି । ଯାତ୍ରାରେ ହଜାରେରୁ ଉର୍ଦ୍ଧ୍ବ ଲୋକ ଏକାଠି ହୋଇପାରିବେ ନାହିଁ । ଆସନ୍ତାକାଲି ଠାରୁ ସିନେମା ହଲ, ଥିଏଟରଗୁଡିକ ୫୦ ପ୍ରତିଶତ ଦର୍ଶକରେ ଚାଲି ପାରିବ । ଅଫ୍ଲାଇନ୍ ଟିକେଟ୍ ଉପଲବ୍ଧ ହେବ ନାହିଁ । ଅନ୍ଲାଇନ୍ ଟିକେଟ କରି ଚଳଚିତ୍ର ଦେଖିବାକୁ ଯାଇପାରିବେ ଦର୍ଶକ । କୌଣସି ସରକାରୀ ମିଟିଂ, ଟ୍ରେନିଂ କାର୍ଯ୍ୟକ୍ରମରେ ୧୦୦ରୁ ଉର୍ଦ୍ଧ୍ବ ଲୋକ ରହିପାରିବେ ନାହିଁ । ସ୍ଥାନୀୟ ପ୍ରଶାସନର ଅନୁମତି ନେଇ ମିଟିଂ କିମ୍ବା ଟ୍ରେନିଂ କରିପାରିବେ ।
ଘରୋଇ ଅଫିସଗୁଡିକୁ କମ୍ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାମ କରିବାକୁ ଅପିଲ୍ କରିଛନ୍ତି ରାଜ୍ୟ ସରକାର । ଯଦି ଓ୍ବାର୍କ ଫ୍ରମ୍ ହୋମ୍ ସୁବିଧା ରହୁଛି ତେବେ ତାହା ଉପରେ ଗୁରୁତ୍ବ ଦେବାକୁ ମଧ୍ୟ କୁହାଯାଇଛି । ଯଦି ଆଗାମୀ ଦିନମାନଙ୍କରେ କୋଭିଡ ଆହୁରି ଭୟଙ୍କର ହୁଏ ତେବେ କଟକଣା ଆହୁରି କଠୋର କରିବାକୁ ରାଜ୍ୟ ସରକାର ବାଧ୍ୟ ହେବେ ।ତେଣୁ କରୋନା ନିୟମକୁ ମାନି ଯେଉଁ ଅପିଲ କରାଯାଉଛି ତାହା ମାନିବାକୁ ରାଜ୍ୟ ସରକାର ଅପିଲ୍ କରିଛନ୍ତି ।