ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ : ଆଗାମୀ ଦୁଇ ବର୍ଷ ଯାଏଁ ଚାକିରି ନାହିଁ

ଭୁବନେଶ୍ୱର : କରୋନା ମହାମାରୀ କେବଳ ବିଶ୍ଵବ୍ୟାପୀ ସ୍ୱାସ୍ଥ୍ୟ ସଙ୍କଟ ନୁହେଁ ବରଂ ଆର୍ଥିକ ସଙ୍କଟ ମଧ୍ୟ । ଏସବୁକୁ ନଜରରେ ରଖି ଓଡ଼ିଶା ରାଜ୍ୟ ସରକାର ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି । ଆଗାମୀ ଦୁଇ ବର୍ଷ ଯାଏଁ ନୂଆ ଚାକିରି ସୃଷ୍ଟି ହେବ ନାହିଁ । ଏନେଇ ପ୍ରମୁଖ ସଚିବ ଅଶୋକ ମୀନା ସମସ୍ତ ବିଭାଗକୁ ଚିଠି ମଧ୍ୟ ଲେଖିଛନ୍ତି ।

ସରକାରୀ ଯୋଜନା ଅନୁଯାୟୀ କେବଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ନୂଆ ଚାକିରି ବାହାରିବ । ଏହାଛଡ଼ା କେତେଟା କଟକଣା ମଧ୍ୟ ଲାଗୁ ହେଇଛି । ଯେମିତିକି ଆଗାମୀ ଦୁଇ ବର୍ଷ ମଧ୍ୟରେ କୌଣସି ବିଭାଗ ନୂଆ ଗାଡ଼ି କିଣିପାରିବେ ନାହିଁ ଏବଂ ସରକାରୀ ଖର୍ଚ୍ଚରେ ଅଫିସର ବାବୁମାନେ ବିଦେଶଗସ୍ତ କରିପାରିବେ ନାହିଁ ।

ଓଡ଼ିଶା ଟିଭି ନ୍ୟୁଜ ଚ୍ୟାନେଲର ଏକ ବ୍ରେକିଂ ନ୍ୟୁଜ ଅନୁଯାୟୀ ସରକାରୀ ଖର୍ଚ୍ଚରେ ବିଜିନେସ୍ କ୍ଲାସ ଟିକେଟ କରି ବିମାନ ଯାତ୍ରା ତଥା ସରକାରୀ ଅଧିକାରୀଙ୍କୁ ପ୍ରଥମ ଶ୍ରେଣୀ ଏସି ଟ୍ରେନ ଯାତ୍ରା ମନା । ଏହାବ୍ୟତୀତ ସରକାରୀ ଖର୍ଚ୍ଚରେ ବଡ଼ ହୋଟେଲରେ ମିଟିଂ, ସେମିନାର, ଓ୍ୱାର୍କସପ୍ ଆଦି କରିବାକୁ ବି ବାରଣ କରାଯାଇଛି । ଯେତେବେଳେ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦିଆଯାଉଛି ସେ ସମୟରେ ଭିଡ଼ିଓ କନ୍ଫରେନ୍ସିଂକୁ ଅଗ୍ରାଧିକାର ମିଳୁ ବୋଲି ସଚିବ ଅଶୋକ ଚିଠିରେ ଲେଖିଛନ୍ତି । ତଛଡ଼ା ୩୧ ମାର୍ଚ୍ଚ ୨୦୨୨ ଯାଏଁ ଲିଭ୍ ଟ୍ରାଭେଲ୍ କନସେସନ୍ (LTC) ବନ୍ଦ କରି ଦିଆଯାଇଛି ।

ଏହି ନୂଆ କଟକଣା ଭିତରେ ହାଉସ୍ ବିଲିଂ ଆଡଭାନ୍ସ, ମୋଟର କାର୍ ଓ କମ୍ପ୍ୟୁଟର ଆଡଭାନ୍ସକୁ ନା କରାଯାଇଥିବାବେଳେ ଡିଜିଟାଲ୍/ଇ- ଦସ୍ତଖସ୍ତକୁ ଗୁରୁତ୍ୱ ଦିଆଯିବ । ଏବେ କାଗଜ ବ୍ୟବହାର ମନା । ଏମିତିକି ଅଫିସ୍, ଗେଷ୍ଟ ହାଉସ୍ ଓ ସରକାରୀ କୋଠା ମରାମତି, ନବୀକରଣ ପାଇଁ ଖର୍ଚ୍ଚ ହେବା ମନା । ଆଉଟ୍ ସୋର୍ସିଂ ଏବଂ ଅବସର ପରେ ନିଯୁକ୍ତି ଉପରେ ରୋକ୍ ଲଗାଯାଇଛି ।

ତଥାପି କେତେଟା ଜରୁରୀ କାର୍ଯ୍ୟ ପାଇଁ କଟକଣାରେ କୋହଳ ନୀତି ରହିଛି, ଯଥା :

  • ସରକାରୀ ଅଫିସ୍‌ର ମରାମତି ଖର୍ଚ୍ଚ ୫ ଲକ୍ଷରୁ ଯଦି ବେଶୀ ହୁଏ ତେବେ ଯାଇ ଅନୁମତି ।  
  • ସରକାରୀ ଆବାସିକ କ୍ୱାର୍ଟର୍ସର ମରାମତି ଖର୍ଚ୍ଚ ୨ ଲକ୍ଷରୁ ବେଶୀ ହେଲେ ଯାଇ ଅନୁମତି ।
  • ଜରୁରୀ ପଦବୀ ପାଇଁ ଅର୍ଥ ବିଭାଗଠାରୁ ପୂର୍ବରୁ ଅନୁମତି ନେବାକୁ ହେବ ।

ସେହିପରି ମୋ ସରକାରରେ ସାମିଲ୍ ହେବ କୋଭିଡ୍ ପରିଚାଳନା । ରୋଗୀ ଓ କୋଭିଡ୍ ଯୋଦ୍ଧାଙ୍କ ସହ ନିୟମିତ ଯୋଗାଯୋଗରେ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀବ ପଟ୍ଟନାୟକ । ଫିଡ୍‌ବ୍ୟାକ୍ ସଂଗ୍ରହ ପାଇଁ ଜିଲ୍ଲା କୋଭିଡ୍ ପର୍ଯ୍ୟବେକ୍ଷକ, ବରିଷ୍ଠ ଅଧିକାରୀଙ୍କୁ କୁହାଯାଇଥିଲାବେଳେ ସଂକ୍ରମଣରୁ ବର୍ତ୍ତିବା ପାଇଁ କରୋନା ଯୋଦ୍ଧାଙ୍କୁ ତାଲିମ୍ ଦେବାକୁ ପରାମର୍ଶ ଦିଆଯାଇଛି । ଶେଷରେ ମୁଖ୍ୟମନ୍ତ୍ରୀ ଚେତାଇ ଦେଇଛନ୍ତି ଯେ ମାସ୍କ ବ୍ୟବହାର ନକଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ ।  

Leave a Reply

Your email address will not be published. Required fields are marked *