ମଇ ୩ ପରେ ପଞ୍ଜିକରଣ ନକରି ଓଡ଼ିଶାକୁ ଫେରିଥିବା ବ୍ୟକ୍ତି ଉପରେ ହେବ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର : ଆସନ୍ତା ମଇ ୩ ପରେ ଦେଶରୁ ହଟିଯିବ ଲକଡାଉନ ବ୍ୟବସ୍ଥା । ଏହାପରେ ଅନ୍ୟ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ନିଜ ପ୍ରଦେଶକୁ ନିହାତି ଫେରିବାକୁ ଚାହିଁବେ । କିନ୍ତୁ ସେମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ କେତେଟା ଗୁରୁତ୍ତ୍ଵପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି ଯେପରିକି ବିନା ପଞ୍ଜିକରଣରେ କୌଣସି ପ୍ରବାସୀ ଓଡ଼ିଆ ରାଜ୍ୟ ଭିତରକୁ ପ୍ରବେଶ କରିପାରିବେ ନାହିଁ ।

ରାଜ୍ୟ ଗୃହ ନିର୍ମାଣ ଏବଂ ନଗରାଞ୍ଚଳ ବିକାଶ ବିଭାଗ ଏକ ପତ୍ର ଜାରି କରାଯାଇଛି ଯାହାକୁ ଭିତ୍ତି କରି ଲକ୍‌ଡାଉନ୍ ପ୍ରତ୍ୟାହାର ପରେ ଯାଇ ପ୍ରବାସୀ ଓଡ଼ିଆମାନେ ଓଡ଼ିଶାକୁ ଫେରି ପାରିବେ । ମାତ୍ର ଓଡ଼ିଶା ସୀମା ଭିତରକୁ ପଶିବା ପୂର୍ବରୁ ସେମାନଙ୍କୁ ସରକାରୀ ପୋର୍ଟାଲ୍‌ ଜରିଆରେ ପଞ୍ଜିକରଣ କରିବାକୁ ବାଧ୍ୟ । ତା’ପରେ ଯାଇ ସେମାନେ କୌଣସି ଗ୍ରାମପଞ୍ଚାୟତ କିମ୍ବା ସହରାଞ୍ଚଳକୁ ଯାଇ ପାରିବେ । ନିଜ ନାମ ପଞ୍ଜିକରଣ କରାଇବା ପରେ କୌଣସି କାରଣରୁ ଓଡ଼ିଶାକୁ ଫେରିବାକୁ ନଚାହୁଁଥିବା ବ୍ୟକ୍ତିବିଶେଷ ନିଜ ପରିବାର ଜରିଆରେ କିମ୍ବା ସିଧାସଳଖ ନୋଡାଲ୍‌ ଅଫିସର୍‌ଙ୍କୁ ଫୋନ୍ କରି ପଞ୍ଜିକରଣ ବାତିଲ କରିପାରିବାର ସୁବିଧା ଓ ସୁଯୋଗ ମଧ୍ୟ ରହିଛି ଏ ପଦକ୍ଷେପରେ ।

ଲକ୍‌ଡାଉନ୍ ସାରିବା ପରେ ବି ରାଜ୍ୟ ସରକାର କରୋନାଭାଇରସ ମହାମାରୀର ସଂକ୍ରମଣକୁ ନେଇ ସତର୍କ ରହିବାକୁ ଇଚ୍ଛୁକ ଯେଉଁଥିପାଇଁ ପଞ୍ଜିକରଣ କରି ରାଜ୍ୟକୁ ଫେରିଥିବା ପ୍ରବାସୀ ଓଡ଼ିଆଙ୍କୁ ପ୍ରଥମେ ୧୪ ଦିନ କ୍ଵାରେଣ୍ଟିନ୍‌ରେ ରଖାଯିବାର ବ୍ୟବସ୍ଥା ମଧ୍ୟ କରିଛନ୍ତି । ସେଥିପାଇଁ ଉଭୟ ଗ୍ରାମପଞ୍ଚାୟତ ଏବଂ ସହରାଞ୍ଚଳରେ ରାଜ୍ୟ ସରକାର କ୍ଵାରେଣ୍ଟିନ୍‌ ସୁବିଧା ଯୋଗାଇ ଦେବେ । ରାଜ୍ୟ ସରକାରଙ୍କ ଯୋଜନା ଅନୁଯାୟୀ ୧୪ ଦିନିଆ କ୍ଵାରେଣ୍ଟିନ୍‌ରେ ଥିଲାବେଳେ ରହିବା, ଖାଇବା, ଶୌଚ ସାମଗ୍ରୀ ଏବଂ ଚିକିତ୍ସା ସେବା ସମ୍ପୂର୍ଣ୍ଣ ମାଗଣାରେ ମିଳିବା ସହିତ କ୍ଵାରେଣ୍ଟିନ୍‌ ଶେଷ ହେବା ପରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ୨୦୦୦ ଟଙ୍କା ପ୍ରୋତ୍ସାହନ ରାଶି ମଧ୍ୟ ମିଳିବ ବୋଲି ସୂଚନା ମିଳିଛି ।

କରୋନାଭାଇରସ ସଂକ୍ରମିତ / ଅସଂକ୍ରମିତ ସମସ୍ତ ପ୍ରବାସୀ ଓଡ଼ିଆ ୧୪ ଦିନିଆ ସରକାରୀ କ୍ଵାରେଣ୍ଟିନ୍‌ରେ ରହିବାକୁ ବାଧ୍ୟ । କେହି ଯଦି ବିନା ପଞ୍ଜିକରଣରେ ଆସନ୍ତି ତଥା ୧୪ ଦିନିଆ କ୍ଵାରେଣ୍ଟିନ୍‌ ନିୟମକୁ ଅମାନ୍ୟ କରନ୍ତି, ତେବେ ବିପର୍ଯ୍ୟୟ ପରିଚାଳନା ନିୟମ – ୨୦୦୫ ଅଧୀନରେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯିବ ବୋଲି ରାଜ୍ୟ ସରକାର କହିଛନ୍ତି ।

ପଡ଼ୋଶୀ ରାଜ୍ୟରୁ ପ୍ରବାସୀ ଓଡ଼ିଆମାନଙ୍କୁ ଫେରାଇ ଆଣିବାକୁ ସ୍ଵତନ୍ତ୍ର ଟ୍ରେନ କିମ୍ବା ବସ ବ୍ୟବସ୍ଥା କରାଯାଉଛି । ଏମିତିକି ଲୋକେ ଚାହିଁଲେ ଘରୋଇ ଯାନରେ ମଧ୍ୟ ଓଡ଼ିଶାକୁ ଫେରି ପାରିବେ । କିନ୍ତୁ, ଏଥିପାଇଁ ଏକ ଅନୁମତି ପତ୍ର ନେବା ବାଧ୍ୟତାମୂଳକ ବୋଲି ସରକାର ବାରମ୍ବାର ତାଗିଦ୍ କରି କହିଛନ୍ତି ।

Leave a Reply

Your email address will not be published. Required fields are marked *