କରୋନାର ଦ୍ଵିତୀୟ ତରଙ୍ଗର ଭୟବହତା ତୁଳନାତ୍ମକ ଭାବେ ବୃହତ୍ତର ଏବଂ ଏହାକୁ ନଜରରେ ରଖି ରାଜ୍ୟରେ ଲକଡାଉନ ଆରମ୍ଭ ହେବାକୁ ଯାଉଛି । ତେବେ ଏପରି ସମୟରେ ଅନ୍ଲାଇନ୍ ମାଧ୍ୟମରେ କିପରି ଗ୍ରାହକମାନେ ଘରେ ବସି ମଦ ପାଇପାରିବେ ସେନେଇ ଅବକାରୀ ବିଭାଗ ତିଆରି କରୁଛି ବ୍ଲ୍ୟୁ-ପ୍ରିଣ୍ଟ୍ । ଏମିତିକି ଏନେଇ ଅବକାରୀ କମିଶନଙ୍କ ଅଧକ୍ଷତାରେ ଏକ ବୈଠକ ମଧ୍ୟ ବସିଥିଲା । ତେବେ ଅନ୍ଲାଇନ୍ରେ ମଦ ବିକ୍ରି ହେବ କି ନାହିଁ ସେ ସମ୍ପର୍କରେ ମଙ୍ଗଳବାର ଦିନ ସନ୍ଧ୍ୟା ସୁଦ୍ଧା ଅବଗତ କାରାଇବ ଅବକାରୀ ବିଭାଗ ।
ଯଦି ଏମିତି ହୁଏ ତେବେ ଜୋମାଟୋ ଏବଂ ସ୍ୱିଗୀ ଜରିଆରେ ଗ୍ରାହକମାନେ ଖାଦ୍ୟ ସହିତ ମଦ ବି ପାଇପାରିବେ । ତେବେ ଏହି ବ୍ୟବସ୍ଥା କେବଳ ସହରଗୁଡ଼ିକ ପାଇଁ ଉପଲବ୍ଧ ହେବ । କଟକ, ଭୁବନେଶ୍ୱର, ବ୍ରହ୍ମପୁର, ପୁରୀ ଓ ରାଉରକେଲା ଆଦି ସହର ଲୋକେ ଏହାକୁ ନେଇ ଉପକୃତ ହେବେ ।
ସେପଟେ ଅବକାରୀ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯଦି ମଦକୁ ଅନଲାଇନ୍ ବିକ୍ରି ପାଇଁ ଅନୁମତି ମିଳେ, ତେବେ ୧,୦୦୦ ଟଙ୍କା ଭିତରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭରୀ ଚାର୍ଜ ଦେବାକୁ ପଡିବ । ୧,୦୦୧ ରୁ ୧,୫୦୦ ଟଙ୍କା ଭିତରେ ମଦ କିଣିଲେ ୧୨୫ ଟଙ୍କା, ସେହିଭଳି ୧,୫୦୧ ଟଙ୍କାରୁ ୨,୦୦୦ ଟଙ୍କା ଭିତରେ ମଦ କିଣିଲେ ୧୫୦ ଟଙ୍କା, ୨,୦୦୧ ରୁ ୨,୫୦୦ ଟଙ୍କାର ମଦରେ ୧୭୫ ଟଙ୍କା, ୩,୦୦୦ ପାଇଁ ୨୦୦ ଟଙ୍କା ଡେଲିଭାରୀ ଚାର୍ଜ ଦେବାକୁ ପଡ଼ିବ ଗ୍ରାହକମାନଙ୍କୁ । ସେଇପରି ୩,୦୦୧ ଟଙ୍କାରୁ ୩,୫୦୦ ଟଙ୍କାରେ ମଦ କିଣିଲେ ୨୫୦ ଟଙ୍କା, ୩,୫୦୧ ଟଙ୍କାରୁ ୪,୦୦୦ ଟଙ୍କା ମଦରେ ୨୫୦ ଟଙ୍କା ଚାର୍ଜ, ୪,୦୦୧ ଟଙ୍କାରୁ ୪,୫୦୦ ଟଙ୍କାରେ ମଦ କିଣିଲେ ୨୭୫ ଟଙ୍କା ଡେଲିଭରୀ ଚାର୍ଜ ଦେବାକୁ ପଡ଼ିବ । ୪,୫୦୧ ଟଙ୍କାରୁ ଅଧିକ ମଦ ପାଇଁ ୩୦୦ ଟଙ୍କା ଡେଲିଭରୀ ଚାର୍ଜ ନେବେ ଜୋମାଟୋ ଓ ସ୍ୱିଗୀ ସଂସ୍ଥା ।
ଅନ୍ଲାଇନ୍ରେ ମଦ ବିକ୍ରି ଯୋଜନାକୁ ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଡାକ୍ତର ବିରୋଧ କରିଛନ୍ତି । ସେପଟେ ପୁଲିସ୍ କହିଛି, ଅନ୍ଲାଇନ୍ରେ ବିକ୍ରି ପାଇଁ ଅନୁମତି ମିଳିଲେ ବି ଦୋକାନୀମାନେ ଅଫଲାଇନ୍ରେ ବିକ୍ରି କରିବେ । ୨୦୨୦ରେ ଏଥିପାଇଁ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାକୁ ଆୟତ୍ତ କରିବା କାଠିକର ପାଠ ହେବ ବୋଲି କମିଶନରେଟ୍ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ସେପଟେ ଲକଡାଉନ ପୂର୍ବରୁ ସହରର ବିଭିନ୍ନ ମଦ ଦୋକାନ ସମ୍ମୁଖରେ ଲମ୍ବା ଲାଇନ୍ ଲାଗିଥିବା ଦେଖାଯାଇଥିଲା । ଗ୍ରାହକମାନେ ପେଟି ପେଟି ମଦ ବୋହି ନେଇ ଯାଇଥିଲେ । ମଦ କିଣିଲାବେଳେ ଭୁଲି ଯାଇଥିଲେ ସାମାଜିକ ଦୂରତା । ଅନେକ ଲୋକ ତ ମାସ୍କ ନାକ ତଳେ ଥିଲେ । କିଛି ଦୋକାନୀ ଚଢ଼ା ଦରରେ ମଦ ବିକ୍ରି କରୁଥିଲେ ।