ତେଜରାତି ଦୋକାନର ହିସାବ ବୁଝୁବୁଝୁ ଏହି ଓଡ଼ିଆ ପୁଅ ହିସାବ ରଖିବେ ଏବେ IPL ମ୍ୟାଚର : ପଢନ୍ତୁ ପୁରା କାହାଣୀ

ଏଥର UAE ରେ ଆୟୋଜିତ ହେବାକୁ ଥିବା IPL ମ୍ୟାଚ ପାଇଁ ରନ ସ୍କୋରର (ପ୍ରତି ବଲ ପାଇଁ ରନର ହିସାବ ରଖିବା) ଭାବେ ମନୋନୀତ ହୋଇଛନ୍ତି ଓଡ଼ିଆ ପୁଅ ସୂର୍ଯ୍ୟକାନ୍ତ ପଣ୍ଡା । ମାତ୍ର ଦଶମ ଶ୍ରେଣୀ ଯାଏଁ ପାଠ ପଢିଥିବା ସୂର୍ଯ୍ୟକାନ୍ତ ପଶ୍ଚିମବଙ୍ଗର ହୁଗୁଳୀଠାରେ ଏକ ତେଜରାତି ଦୋକାନରେ ସହାୟକ ଭାବେ କାମ କରନ୍ତି । ୩୨ ବର୍ଷର ସୂର୍ଯ୍ୟକାନ୍ତ କିନ୍ତୁ ଅଗଷ୍ଟ ୨୭ ତାରିଖରେ ଦୁବାଇ ଅଭିମୁଖେ ଯାତ୍ରା କରିବେ, ହେବାକୁ ଥିବା IPL ମ୍ୟାଚରେ ପ୍ରତ୍ୟେକ ଭେଟେରାନ୍ କ୍ରିକେଟର ଏବଂ ଦଳର ୱିକେଟର ହିସାବ ରଖିବେ । ତେବେ IPL ମ୍ୟାଚ ସେପ୍ଟେମ୍ବର ୧୯ ତାରିଖରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଖେଳାଯିବ ।

ସୂଚନା ଅନୁଯାୟୀ ରୋଜଗାର ଆଶା ନେଇ ସୂର୍ଯ୍ୟକାନ୍ତ ଓଡ଼ିଶା ଛାଡ଼ି ପଶ୍ଚିମବଙ୍ଗ ଯାଇଥିଲେ । ତାଙ୍କ ବାପା ଜଣେ ରୋଷେୟା ଥିଲେ ଓ ପାରିବାରିକ ଆର୍ଥିକ ସ୍ଥିତି ସ୍ଵଚ୍ଛଳ ନଥିବାରୁ ଭିଟାମାଟି ଛାଡ଼ି ପଡୋଶୀ ରାଜ୍ୟକୁ ସେ ଯାଇଥିଲେ ସୂର୍ଯ୍ୟକାନ୍ତ । କ୍ରିକେଟର ହେବାର ସ୍ୱପ୍ନ ତାଙ୍କର ୨୦୦୨-୨୦୦୩ ମସିହାରେ ହୁଗୁଳୀ ଜିଲ୍ଲା କ୍ରୀଡ଼ା ଆସୋସିଏସନ୍ ଗ୍ରାଉଣ୍ଡରେ କେତେଟା ମ୍ୟାଚ ଖେଳାଇ ଥିଲା ତାଙ୍କୁ । ହେଲେ ପେଟପାଟଣା ଚିନ୍ତା କ୍ରିକେଟଠାରୁ ଦୂରେଇ ନେଇଥିଲା ସୂର୍ଯ୍ୟକାନ୍ତଙ୍କୁ ।

ଯେହେତୁ ପିଲାଟିବେଳୁ ଜଣେ କ୍ରିକେଟର ହେବାର ସ୍ଵପ୍ନ ଦେଖିଥିଲେ ସୂର୍ଯ୍ୟକାନ୍ତ ତେଣୁ ନିଜ ପାଇଁ ସ୍କୋରର ହେବାର ଉପାୟ ବାଛିନେଲେ ସେ । ୨୦୧୫ ରେ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲର ସ୍କୋରର ପରୀକ୍ଷା ଦେଲେ ଓ ପାସ କଲେ । କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ ଦ୍ୱାରା ଆୟୋଜିତ ଅଧିକାଂଶ ମ୍ୟାଚର ସ୍କୋରର ହୋଇ ନିରନ୍ତର ନିଜର ପ୍ରୟାସ ଜାରି ରଖିଲେ ସେ । ଏମିତିକି ୨୦୧୮ ମସିହାରେ ଶ୍ରେଷ୍ଠ ସ୍କୋରର ପୁରସ୍କାର ମଧ୍ୟ ଅର୍ଜନ କଲେ ସେ ।

ଚଳିତ ବର୍ଷ IPL-୨୦୨୦ ରେ ସ୍କୋରର ଭାବରେ ମନୋନୀତ ହେବା ତାଙ୍କୁ ଏକପ୍ରକାର ତାଙ୍କ ସ୍ଵପ୍ନକୁ ପୁରା କରିଛି । ତେବେ କାମ କରୁଥିବା ଦୋକାନର ମାଲିକ ବିଶ୍ୱନାଥ ସାଧୁଖାନ୍ ତାଙ୍କୁ ଛୁଟି ଦେବେ ନା ସେନେଇ ଚିନ୍ତିତ ଥିଲାବେଳେ ସୂର୍ଯ୍ୟକାନ୍ତଙ୍କୁ ସେ ୨ ମାସ ପାଇଁ ଛୁଟି ଦେଇଛନ୍ତି । ବର୍ତ୍ତମାନ ସୂର୍ଯ୍ୟକାନ୍ତ BCCI ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜାତୀୟ ଦଳ ପାଇଁ ମନୋନୀତ ହେବାକୁ ଆଶା ରଖିଛନ୍ତି ।

Leave a Reply

Your email address will not be published. Required fields are marked *