ସଂସ୍କାର : ଆମ ରାଜ୍ୟରେ କୌଣସି ନିଯୁକ୍ତି ସୁଯୋଗ ନଥିବା କାରଣରୁ ଅନେକ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି। କେହି କେହି ସୁରତ ତ, ଆଉ କେହି କେହି ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ବାଙ୍ଗାଲୋର, ଆଉ ଚେନ୍ନାଇ ଯାଇଥାନ୍ତି। କିନ୍ତୁ ଏହି ସ୍ଥାନ ମାନଙ୍କରେ ଓଡ଼ିଆ ଦାଦନ ଶ୍ରମିକଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଆଯାଇନଥାଏ। ଫଳରେ ସେମାନେ ଅନେକ ଅସୁବିଧାର ଶିକାର ହୋଇଥାନ୍ତି। ଏହି କ୍ରମରେ ଆନ୍ଧ୍ରପ୍ରଦେଶରେ ଏକ ଓଡ଼ିଆ ଦାଦନ ଶ୍ରମିକଙ୍କର ଟ୍ରେନ୍ ଧକ୍କାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇ ଘରକୁ ଶବ ହୋଇ ଫେରିଛନ୍ତି ଜଣେ ଓଡ଼ିଆ ଦାଦନ ଶ୍ରମିକ। ତେବେ ଏହି ଦୁଃଖଦ ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନିଳାକାମ୍ବେରୁ ପଞ୍ଚାୟତ ସଦର ଗ୍ରାମରେ ଘଟିଛି ।
ସୂଚନା ଅନୁଯାୟୀ, ଆଜିକୁ ପ୍ରାୟ ୧୨ ବର୍ଷ ପୂର୍ବେ ଏହି ଗ୍ରାମର ଉଆଳି ଅଧିକାରୀ(୬୦) ଆନ୍ଧ୍ରପ୍ରଦେଶର ବିଶାଖା ଜିଲ୍ଲାର ପେନ୍ଦରୁତି ଅଞ୍ଚଳକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ସେ ଏକ ଘର କାମ କରୁଥିବା ଠିକାଦାରଙ୍କ ନିକଟରେ ଶ୍ରମିକ ରୂପେ କାର୍ଯ୍ୟ କରି ନିଜ ଘରକୁ ଟଙ୍କା ପଠାଉଥିଲେ । ତେବେ ସେ ଗତ ୨୦ ତାରିଖରେ ମଧ୍ୟାହ୍ନ ଭୋଜନ ନିମନ୍ତେ ନିଜ କ୍ୟାମ୍ପକୁ ରେଳ ଧାରଣା ଦେଇ ଫେରିବା ସମୟରେ ହଠାତ୍ ତାଙ୍କୁ ପଛପଟୁ ଏକ ଟ୍ରେନ୍ ଧକ୍କା ଦେଇଥିଲା । ଫଳରେ ସେ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ ।
ଅନ୍ୟପଟେ ମଧ୍ୟାହ୍ନ ଭୋଜନରେ ଉଆଳିଙ୍କର ବିଳମ୍ବ ହେବାରୁ ତାଙ୍କ ସହକର୍ମୀ ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ରେଳ ଧାରଣା କଡ଼ରୁ ଉଆଳି ଅଧିକାରୀଙ୍କର ରକ୍ତ ଜୁଡୁବୁଡୁ ଶରୀର ପଡି ରହିଥିବା ଦେଖିଥିଲେ ତାଙ୍କ ସହକର୍ମୀ । ତେବେ ଦୀର୍ଘ ୭ ଘଣ୍ଟା ପରେ ପୋଲିସ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ ।
ତେବେ ତାଙ୍କ ସହକର୍ମୀ ମଧ୍ୟରୁ ଜଣେ କେହି ତାଙ୍କର ପରିବାର ଲୋକଙ୍କୁ ଜଣାଇବା ପରେ ତାଙ୍କ ପରିବାର ସହିତ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପକ୍ଷରେ ଉଆଳିଙ୍କ ମୃତ ଶରୀରକୁ ଗ୍ରାମକୁ ଆଣିବା ନିମନ୍ତେ ଆର୍ଥିକ ସମ୍ବଳ ନଥିବାରୁ ପରିବାର ଲୋକେ ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ୱିବେଦୀଙ୍କ ନିକଟରେ ପହଞ୍ଚିଥିଲେ। ଏହି ଘଟଣା ବାବଦରେ ଶୁଣିବା ପରେ ଏସଡିପିଓ ଦ୍ୱିବେଦୀ ତୁରନ୍ତ ସେହି ବିଶାଖା ଜିଲ୍ଲାର ଏସ୍ପିଙ୍କ ସହ ଯୋଗାଯୋଗ କରି ଉଆଳିଙ୍କ ମୃତ ଶରୀର କିପରି ନିଜ ଗ୍ରାମରେ ପହଞ୍ଚାଇ ଥିଲେ। ଏହା ସହ ଏସଡିପିଓ ଠିକାଦାରଙ୍କ ସହ ଯୋଗାଯୋଗ କରି ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଇଥିଲେ । ସେଠାରୁ ଆମ୍ବୁଲାନ୍ସ ଯୋଗେ ଗତ ମଙ୍ଗଳବାର ମଧ୍ୟରାତ୍ରରେ ଆସି ଉଆଳିଙ୍କ ମୃତ ଶରୀର ତାଙ୍କର ପରିବାର ଲୋକଙ୍କ ପାଖରେ ପହଂଚିଥିଲା। ଏହାପରେ ଉଆଳିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ତେବେ ଚିତ୍ରକୋଣ୍ଡା ଏସ୍ଡିପିଓଙ୍କର ଏଭଳି ବଦାନ୍ୟତା କାମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।