ଜନ୍ମରୁ ମୁକ ଏବଂ ବଧିର ହୋଇ ମଧ୍ୟ ପିଲା ଦିନରୁ ପାଠ ପଢ଼ାରେ ପ୍ରବଳ ଆଗ୍ରହ ଥିଲା। ଏଭଳି ଆଗ୍ରହ ଏବଂ ନିରନ୍ତର ଉଦ୍ୟମ ବଳରେ ଆଜି ସେ ସଫଳତାର ସିଡ଼ି ଚଢିପାରିଛନ୍ତି। ନିଜେ ପାଠ ପଢ଼ା ସାରିବା ପରେ ଏବେ ନିଜେ ସେ ଶିକ୍ଷାଦାନ କରୁଛନ୍ତି। ଏହା ସହ ପିଲାଙ୍କୁ ଓଡିଶୀ ମଧ୍ୟ ଶିକ୍ଷା ଦଉଛନ୍ତି।
ସେ ହେଲେ ଗଜପତି ଜିଲ୍ଲା ବାଲିପଦର ଗାଁର ସସ୍ମିତା ଲିମା। ଘରେ ହେଲେ ବାପା, ମା, ଆଉ ଚାରି ଭାଇ ଭଉଣୀ। ସସ୍ମିତା ହେଲେ ସେମାନଙ୍କ ମଧ୍ୟରୁ ଦିବ୍ୟଙ୍ଗ।
ସସ୍ମିତା ମୋହନା ସ୍ଥିତ ଏମକେସିଜି ଦୃଷ୍ଟିହୀନ ବଧିର ବିଦ୍ୟାଳୟରେ ୮ମ ଯାଏଁ ପାଠପଢିଥିଲେ। ତାପରେ ପୁରୀ ନିମାପଡା ବିଦ୍ୟାଳୟରେ ୧୦ମ ପରୀକ୍ଷା ଦେଇଥିଲେ। ଉଚ୍ଚ ପାଠପଢ଼ା ପାଇଁ ସେ ଭୁବନେଶ୍ଵର ଯାଇଥିଲେ। ସେଠାରେ ରହି ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ। ତାପରେ ସେ ନିଜ ଗାଁ କୁ ଫେରିଆସିଥିଲେ।
ଯେଉଁଠି ଦିନେ ପାଠ ପଢୁଥିଲେ ଏବେ ସେଠି ନୃତ୍ୟ ଶିକ୍ଷୟିତ୍ରୀ ଭାବରେ ନିଯୁକ୍ତି ପାଇଛନ୍ତି। ଏହା ସହ ପିଲାମାନଙ୍କୁ ପାଠ ମଧ୍ୟ ପଢ଼ାଉଛନ୍ତି।