ଭୁବନେଶ୍ଵର : ଫେମ ଇଣ୍ଡିଆ ପତ୍ରିକା ଏବଂ ଏସିଆ ପୋଷ୍ଟ ଦ୍ଵାରା କରାଯାଇଥିବା ଏକ ସର୍ଭେ ରିପୋର୍ଟ ଅନୁଯାୟୀ ଓଡ଼ିଶାର ଅପ୍ରତିଦ୍ଵନ୍ଦୀ ନେତା ତଥା ରାଇଜ ମୁଖିଆ ନବୀନ ପଟ୍ଟନାୟକ ୧୦ ଜଣ ଶ୍ରେଷ୍ଠ ପ୍ରଭାବଶାଳୀ ଭାରତୀୟଙ୍କ ଭିତରେ ନିଜର ସ୍ଥାନ ସରଂକ୍ଷଣ କରିବାରେ ସଫଳ ହୋଇଛନ୍ତି । ଉକ୍ତ ତାଲିକାର ୧୦ ମ ସ୍ଥାନକୁ ସେ ଅଧିକୃତ କରିଥିବାବେଳେ ୧୧ ତମ ସ୍ଥାନରେ ଅଛନ୍ତି ଆଉ ଜଣେ ଓଡ଼ିଆ, ନାମ ପି.କେ.ମିଶ୍ର (ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା) ।
ସର୍ଭେ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ତାଲିକାର ସର୍ବୋଚ୍ଚ ସ୍ଥାନରେ ଥିଲାବେଳେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ତୃତୀୟ ସ୍ଥାନରେ ଗୃହମନ୍ତ୍ରୀ ଅମିତ ଶାହା ରହିଛନ୍ତି ।
ଲଗାତର ୫ ଥର ମୁଖ୍ୟମନ୍ତ୍ରୀ ହୋଇ କ୍ରମାଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଶାସନ କରି ମାନନୀୟ ମୁଖ୍ୟମନ୍ତ୍ରୀ ରାଜ୍ୟ ରାଜନୀତିରେ ନିଜ ପ୍ରଭାବ ଦିନକୁ ଦିନ ବଢାଇ ଚାଲିଛନ୍ତି । ତାଙ୍କରି ନାନା ଯୋଜନା ଓ ବିକାଶମୂଳକ ପଦକ୍ଷେପ ଦ୍ଵାରା ଓଡ଼ିଶା ଅନେକ କ୍ଷେତ୍ରରେ ଆଗକୁ ଯାଇପାରିଛି । ଆଜି ଦେଶର ଏକ ଶିଳ୍ପ ସମୃଦ୍ଧ ରାଜ୍ୟ ତଥା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସମଗ୍ର ଦେଶରେ ଏକ ଆଦର୍ଶ ରାଜ୍ୟର ମାନ୍ୟତା ପାଇବାରେ ସଫଳତା ହାସଲ କରିଛି ଓଡ଼ିଶା ।