ଭୁବନେଶ୍ୱର ରାସ୍ତାରୁ ଭିକାରୀଙ୍କୁ ହଟାଇବା ପାଇଁ ନିର୍ଦେଶ ଦେଲେ ବିଏମସି…

ରାଜଧାନୀ ହେବ ଭିକାରୀ ମୁକ୍ତ! ଆଜ୍ଞା ହଁ, ଆପଣ ଠିକ୍ ଶୁଣୁଛନ୍ତି, ଭୁବନେଶ୍ୱରକୁ ଭିକାରୀ ମୁକ୍ତ କରିବା ପାଇଁ ଲାଗି ଯୋଜନା କରୁଛନ୍ତି ରାଜ୍ୟ ସରକାର। ରାଜଧାନୀର ବିଭିନ୍ନ ସ୍ଥାନରେ ଭିକାରୀଙ୍କ ସଂଖ୍ୟା ବଢୁଥିବା ବେଳେ ଏହା ସ୍ମାର୍ଟ ସିଟିର ସୌନ୍ଦର୍ଯ୍ୟ ଉପରେ ଖରାପ ପ୍ରଭାବ ପକାଉଥିବା କୁହାଯାଉଛି। ତେଣୁ, ବିଏମସି ତରଫରୁ ଏଥିନେଇ ପଦକ୍ଷେପ ନିଆଯିବା ସହିତ ସେମାନଙ୍କୁ ରାସ୍ତାରୁ ହଟାଇ ଥଇଥାନ କରିବା ପାଇଁ ପଦକ୍ଷେପ ନିଆଯିବ।

କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ବିଏମସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଭିକାରୀମାନଙ୍କୁ ରାସ୍ତା କିମ୍ବା ମନ୍ଦିର ବାହାରେ ଦେଖିଲେ ତୁରନ୍ତ ସେମାନଙ୍କୁ ସେଠାରୁ ହଟାଇ ଥଇଥାନ କେନ୍ଦ୍ରରେ ଭର୍ତ୍ତି କରିବା ପାଇଁ ନିର୍ଦେଶ ଦିଆଯାଇଛି। ରାଜଧାନୀର ୩ ଜୋନକୁ ବିଭକ୍ତ କରିବା ସହିତ ଏଥିରେ ତିନୋଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ନଜ଼ର ରଖିବ। ଆସନ୍ତା ଦୁର୍ଗା ପୂଜା ପୂର୍ବରୁ ସମସ୍ତ ଭିକାରୀଙ୍କୁ ଥଇଥାନ କରିବା ପାଇଁ ନିର୍ଦେଶ ମିଳିଛି।

ରଙ୍ଗ ବଜାର, ଅନ୍ଧାରୁଆ, ନିଳାଦ୍ରୀବିହାର, ପିଡବ୍ଲୁଡି କଲୋନୀ ଭଳି ଅଂଚଳରେ ଭିକାରି ଥଇଥାନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ପ୍ରତ୍ୟେକ କେନ୍ଦ୍ର ଗୁଡିକରେ ୧୦୦ ଜଣ ଲେଖାଏଁ ଭିକାରୀଙ୍କୁ ଥଇଥାନ କରାଯିବ। ଏହା ବ୍ୟତୀତ ପ୍ରତ୍ୟେକ ଭିକାରୀଙ୍କ ପରିବାରକୁ ସମ୍ପର୍କ କରାଯାଇ ସେମାନଙ୍କୁ ଘରକୁ ପଠାଇ ଦିଆଯିବ। ଯଦି ସମ୍ପୃକ୍ତ ବ୍ୟକ୍ତି ପୁଣିଥରେ ଭିକ୍ଷାବୃତ୍ତି କରନ୍ତି ତେବେ ତାଙ୍କ ପରିବାର ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି।