ଶାରୀରିକ ରୂପେ ଅକ୍ଷମ ହୋଇଛନ୍ତି ସତ୍ୟ କିନ୍ତୁ ଅନ୍ୟ ଦିବ୍ୟାଙ୍ଗଙ୍କ ପାଇଁ ସାଜିଛନ୍ତି ମସିହା…

ଜଣେ ଶାରୀରିକ ଭିନ୍ନକ୍ଷମ ମଣିଷ ମାନସିକ ସ୍ଥରରେ ନିଜର ଦୃଢ଼ ମନୋବଳ, ଅକ୍ଲାନ୍ତ ପରିଶ୍ରମ ଓ ଇଚ୍ଛାଶକ୍ତି ବଳରେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରେ ଆଉ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୋର ଅଂଚଳରେ। ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ଗୋପୀନାଥପୁର ପଂଚାୟତ ରଘୁନାଥପୁର ଗ୍ରାମର ବୈଷ୍ଣବ ପ୍ରଧାନଙ୍କ ବଡ଼ ପୁଅ ଜୟନ୍ତ କୁମାର ପ୍ରଧାନ।

ବୟସ ୪୬ ବର୍ଷ । ପରିବାରରେ ୮ ଭାଇ ଓ ୩ ଭଉଣୀଙ୍କ ମଧ୍ୟରୁ ଜୟନ୍ତ ହେଉଛନ୍ତି ସବୁଠାରୁ ବଡ଼। ଜନ୍ମରୁ ମାତ୍ର ଅଢେଇ ବର୍ଷ ବୟସରେ ସେ ପୋଲିଓ ରୋଗର ଶିକାର ହୋଇ ଭିନ୍ନକ୍ଷମ ପାଲଟି ଗଲେ। ନାନା ଲୋକଙ୍କଠୁ ନାନାକଥା ଶୁଣିଲେ କିନ୍ତୁ ନିଜର ମାନସିକ ସ୍ଥିତି ଉପରେ ଏହାର ପ୍ରଭାବ ପକାଇବାକୁ ଦେଲେ ନାହିଁ।

ଭିନ୍ନକ୍ଷମ ପାଲଟିବା ପରେ ସେ ଶିକ୍ଷା, କଳା ଓ ସମାଜ ସେବାକୁ ଆପଣେଇନେଲେ। ମଙ୍ଗଳପୁର ହାଇସ୍କୁଲରୁ ୧୯୯୩ ରେ ମ୍ୟାଟ୍ରିକ ପରେ ମଙ୍ଗଳପୁର ଶ୍ରୀନିବାସ କଲେଜରୁ ସ୍ନାତକ ହିନ୍ଦୀ ପ୍ରଚାର ସଭା ମଦ୍ରାସରୁ ହିନ୍ଦୀରେ ଏମଏ , ସଂଗୀତରେ ବିଶାରଦ ଏବଂ ଦିଲ୍ଲୀରୁ ଚିତ୍ର କଳାରେ ଡିପ୍ଲୋମା କରିବା ପରେ ଏକ ଘରୋଇ ସ୍କୁଲରେ ଦୀର୍ଘ ୪ ବର୍ଷ ଶିକ୍ଷକତା କରିଥିଲେ।

ବର୍ତ୍ତମାନ ସେ ୨୦୧୮ରୁ ସରକାରୀ ଦିବ୍ୟାଙ୍ଗ ବିଦ୍ୟାଳୟ ମଙ୍ଗଳପୁର ଠାରେ ଶିକ୍ଷକତା କରୁଛନ୍ତି। ଭାରତ ସରକାରଙ୍କ ଠାରୁ ଜାତୀୟ ସ୍ତରରେ ଚିତ୍ର କଳାରେ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ରାଜ୍ୟ ସରକାରଙ୍କ ଅନ୍ତର୍ଗତ ରାଜ୍ୟ କଳା ଓ ଗବେଷଣା ପ୍ରଶିକ୍ଷଣ କେନ୍ଦ୍ରରୁ ଉତ୍କଳ ରତ୍ନ ଉପାଧି ହାସଲ କରିଛନ୍ତି। ତତ୍ସହିତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଏବଂ ଅନ୍ୟାନ୍ୟ ସ୍ଥାନରୁ ବିପୁଳ ମାନପତ୍ର ହାସଲ କରି ନିଜର କାର୍ଯ୍ୟ ଦକ୍ଷତା ପାଇଁ ପ୍ରଶଂସା ସାଉଁଟିଛନ୍ତି । ସମାଜରେ ସୁଧାର ଆଣିବା ସହିତ ଦୁର୍ବଳ ବର୍ଗର ଲୋକଙ୍କର ସଦା ସର୍ବଦା ସେବା କରିବାରେ ନିଜକୁ ନିୟୋଜିତ କରିବା ପାଇଁ ନିଜର ଲକ୍ଷ ରଖି ୨୦୧୪ ମସିହାରେ ସରକାରୀ ଭାବେ ପଞ୍ଜିକୃତ କରି ଏକ ମନ୍ବଉତ୍ଥାନ ସଂସ୍ଥାନ ନାମକ ସଂଗଠନ ସ୍ଥାପନା କରିଲେ । ସେବେ ଠାରୁ ସେ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟକ୍ରମ କରିଆସୁଛନ୍ତି।

ଆଞ୍ଚଳିକ ବିଜ୍ଞାନ ମେଳା,ବୃକ୍ଷରୋପଣ,ରକ୍ତଦାନ ଶିବିର ଆୟୋଜନ କରିବା ସହିତ ଗ୍ରାମାଞ୍ଚଳରେ ମହିଳା ମାନଙ୍କୁ ସଶକ୍ତିକରଣ କରିବା ପାଇଁ ନିଜସ୍ୱ ପାଣ୍ଠିରୁ ଖର୍ଚ୍ଚ କରି ନାନାଦି କାର୍ଯ୍ୟକ୍ରମ କରିଆସୁଛନ୍ତି। ଗ୍ରାମାଞ୍ଚଳରେ ଗୁଣାତ୍ମକ ଶିକ୍ଷାର ବିକାଶ ନିମନ୍ତେ ନିଜସ୍ୱ ପ୍ରୟାସରେ ବୈଷ୍ଣବ ମଲ୍ଲିକା ମେଧା ଅନ୍ୱେଷଣ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିବର୍ଷ ୫ମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ପରୀକ୍ଷା କରାଯାଇ ଉତ୍ତୀର୍ଣ୍ଣ ୩ ଜଣଙ୍କୁ ୧ ବର୍ଷର ଛାତ୍ରବୃତ୍ତି ପ୍ରଦାନ କରିବା ସହିତ ଅନ୍ୟ ୧୦ ଜଣଙ୍କୁ ସାତ୍ୱନା ମୂଳକ ପୁରସ୍କୃତ କରାଯାଇଥାଏ।

ବିଭିନ୍ନ ସମୟରେ ସଂସ୍ଥାନ ତରଫରୁ ସଚେତନତା ଶିବିର କରାଯାଇ ସରକାରଙ୍କ ଯୋଜନାକୁ ଗ୍ରାମାଞ୍ଚଳରେ ଥିବା ଭିନ୍ନକ୍ଷମ ମାନଙ୍କ ପାଖରେ ପହଞ୍ଚାଇ ଥାନ୍ତି। ଅନେକ ଭିନ୍ନକ୍ଷମମାନଙ୍କୁ ନେଇ ଏକ ଭଜନ ସନ୍ଧ୍ୟା ଗ୍ରୁପ କରି ସେମାନଙ୍କୁ ମଧ୍ୟ ବଞ୍ଚିବାର ମାଧ୍ୟମ ଦେଖାଇଛନ୍ତି। ଏକାଧାରରେ ଜଣେ ଶିକ୍ଷକ,କଣ୍ଠଶିଳ୍ପୀ,ଚିତ୍ରଶିଳ୍ପୀ ଏବଂ ତବଲା ବାଦକ ଭାବେ ବେଶ ପରିଚୟ ସୃଷ୍ଟି କରିଥିବା ଜୟନ୍ତ ଭିନ୍ନକ୍ଷମ ହୋଇ ମଧ୍ୟ ଅନ୍ୟପାଇଁ ଉଦାହରଣ ପାଲଟିଛନ୍ତି।