ଖୋଲିଲା ଓଡିଶା ; ପ୍ରେକ୍ଷାଳୟ ଖୋଲିବାକୁ ଅନୁମତି, ମାତ୍ର ସାସ୍କୃତିକ କାର୍ଯ୍ୟକ୍ରମକୁ ବାରଣ, ବଢିଲା ଦ୍ୱନ୍ଦ୍ୱ

ସଂସ୍କାର : ରାଜ୍ୟରେ କରୋନାର ପ୍ରକୋପ ସାମାନ୍ୟ କମିଥିବାରୁ ରାଜ୍ୟ ସରକାର ଅଗଷ୍ଟ ମାସର କରୋନା ଗାଇଡଲାଇନକୁ ଅଳ୍ପ ପରିମାଣରେ କୋହଳ କରିଛନ୍ତି। ତେବେ କଟକ , ରାଜଧାନୀ ଭୁବନେଶ୍ୱର ଓ ପୁରୀରେ ସପ୍ତାହନ୍ତ ସଟଡାଉନ୍ ଲାଗିବ ବୋଲି ରାଜ୍ୟ ସରକାର ଅଗଷ୍ଟ ମାସର ଗାଇଡଲାଇନରେ ଉଲ୍ଲେଖ କରିଛନ୍ତି। ତେବେ ଦୀର୍ଘ ଦିନ ପରେ ରାଜ୍ୟରେ ଥିବା ସମସ୍ତ ପାର୍କ ଓ ସିନେମା ହଲ ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଏହି କ୍ରମରେ ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଥିବା ସମସ୍ତ ପାର୍କ ସବୁ ଖୋଲିଛି। କିନ୍ତୁ ପାର୍କ ଗୁଡିକ ଅସଜଡ଼ା ହୋଇ ପଡ଼ିଥିବା ଯୋଗୁ, ରାଜଧାନୀ ବାସୀ ବର୍ତ୍ତମାନ ପାର୍କ ଯିବା ପାଇଁ ମଙ୍ଗୁ ନାହାଁନ୍ତି। ପାର୍କରେ ବଢ଼ି ଯାଇଥିବା ଘାସ, ବଡ଼ ବଡ଼ ଗଛ ଓ ଉଇ ହୁଙ୍କା ପାର୍କ ବୁଲିବାକୁ ଯାଉଥିବା ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛି। ଜଙ୍ଗଲିଆ ହୋଇ ପଡ଼ିଥିବା ପାର୍କ ସବୁ ଶ୍ରୀହୀନ ଦେଖାଯାଉଛି। ସେହିଭଳି ବର୍ତ୍ତମାନ ମଧ୍ୟ କରୋନା ସଂକ୍ରମଣ ଭୟ ଥିବାରୁ ବେଶି ଲୋକ ପାର୍କ ଯାଇନଥିବା ଜଣାପଡ଼ିଛି । ସେହିପରି ରବିବାର ଦିନ ସଟଡାଉନ୍ ରହିଥିବାରୁ ଆଜି ରାଜଧାନୀର ବହୁ ମଲ୍‌ ଖୋଲିଥିଲା ଓ ମଲ୍‌ମାନଙ୍କରେ ଭିଡ଼ ମଧ୍ୟ ପରିଲକ୍ଷିତ ହୋଇଥିଲା।

ଅନ୍ୟପକ୍ଷରେ ଆସନ୍ତା ୫ ତାରିଖରୁ ରାଜଧାନୀରେ ଫିଲ୍ମ ହଲ୍ ଖୋଲିବ। ହଲ୍‌ ମାଲିକମାନେ ବର୍ତ୍ତମାନ ନିଜ ନିଜର ଭିତ୍ତିଭୂମିକୁ ପ୍ରସ୍ତୁତ କରି ରଖିଛନ୍ତି। କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ୫୦ ପ୍ରତିଶତ ସିଟ୍‌ରେ ସିନେମା ହଲରେ ଦର୍ଶକଙ୍କୁ ବସିବାକୁ ସୁଯୋଗ ମିଳିବ। କିନ୍ତୁ ପ୍ରେକ୍ଷାଳୟ ଖୋଲିବା ନେଇ ଦ୍ବନ୍ଦ୍ବ ଉପୁଜିଛି । ପ୍ରେକ୍ଷାଳୟ ଖୋଲିବାକୁ ଅନୁମତି ଥି‌ଲେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । ଏଣୁ ଏଭଳି ଦ୍ବନ୍ଦ୍ବକୁ ନେଇ ସଂସ୍କୃତି ବିଭାଗ ମଧ୍ୟ ଚିନ୍ତାରେ ପଡ଼ିଛି ।

Leave a Reply

Your email address will not be published. Required fields are marked *