ରାଜ୍ୟରେ ଆରମ୍ଭ ହେଲା ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ

ସଂସ୍କାର : ଆଜିଠାରୁ ୫ ଟି ପର୍ଯ୍ୟାୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ତେବେ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ରାଜ୍ୟର ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୧୬୬୯ଟି ଗ୍ରାମପଞ୍ଚାୟତର ୬୭ଲକ୍ଷ ୫୧ହଜାର ମତଦାତା ୨୨,୩୭୯ଟି ବୁଥ୍‌ରେ ସେମାନଙ୍କ ଅଞ୍ଚଳର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ଏବଂ ୨୦୦ଟି ଜିଲ୍ଲା ପରିଷଦ ସଭ୍ୟଙ୍କୁ ବାଛିବେ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆଜିଠାରୁ ଆରମ୍ଭ ହୋଇ ଥିବାବେଳେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଏହି ପଞ୍ଚାୟତ ନିର୍ବାଚନ ଚଳିତବର୍ଷ ୫ଟି ପର୍ଯ୍ୟାୟରେ ହେବ। ୧୬ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ନିର୍ବାଚନ ପ୍ରକ୍ରିୟା ୨୪ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଚଳିତବର୍ଷ ୨କୋଟି ୭୯ଲକ୍ଷରୁ ଅଧିକ ଲୋକ ମତଦାନ କରିବେ। ଏଥର ମୋଟ୍ ୬୭୯୪ଟି ଗ୍ରାମପଞ୍ଚାୟତର ୯୧୯୧୩ଟି ୱାର୍ଡରେ ମତଦାନ ପାଇଁ ବ୍ୟବସ୍ଥା କରାଯାଇଛି। ମୋଟ୍ ୯୧୯୧୩ଟି ବୁଥ୍‌ରୁ ୧୩୭୮୫ଟି ବୁଥ୍‌ ଉତ୍ତେଜନା ପ୍ରବଣ ଥିବାବେଳେ ଏଥିରୁ ପ୍ରଥମ ପର୍ଯ୍ୟାୟରେ ୩୩୫୭ଟି ଉତ୍ତେଜନା ପ୍ରବଣ ବୁଥ୍‌ ରହିଥିବା ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ କୁହାଯାଇଛି।

ପ୍ରଥମ ପର୍ଯ୍ୟାୟ ଭୋଟ୍‌ ପାଇଁ ସମସ୍ତ ପୋଲିଂ ପାର୍ଟି ମଙ୍ଗଳବାର ଅପରାହ୍ନ ସୁଦ୍ଧା ନିଜ ନିଜ ବୁଥ୍‌ରେ ପହଞ୍ଚିଯାଇଛନ୍ତି। ଚଳିତ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ୨୨୫ ପ୍ଲାଟୁନ୍ ଫୋର୍ସ ଏବଂ ୩୭୨୪୫ଜଣ ପୁଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି।ପ୍ରଥମ ପର୍ଯ୍ୟାୟ ଭୋଟ୍‌ରେ ମୋଟ୍‌ ୨୦୦ଟି ଜିଲ୍ଲା ପରିଷଦ ଆସନ ପାଇଁ ମତଦାନ ହେଉଥିବା ବେଳେ ୭୨୬ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏଥର ନିର୍ବାଚନରେ ସରପଞ୍ଚ ପଦବି ପାଇଁ ସବୁଠୁ ଅଧିକ ପ୍ରାର୍ଥୀ ମଇଦାନରେ ଅଛନ୍ତି।

ଚଳିତ ବର୍ଷର ପଞ୍ଚାୟତ ନିର୍ବାଚନ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହେଉଛି। ତେଣୁ ପ୍ରତ୍ୟେକ ମତଦାତା ଭୋଟ୍ ଦେବା ସମୟରେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବା ଦରକାର ବୋଲି ନିର୍ବାଚନ କମିସନର କହିଛନ୍ତି।

Leave a Reply

Your email address will not be published. Required fields are marked *