ସଂସ୍କାର : ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା। ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ଅତିକ୍ରମ କରି ଆଗକୁ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ୨୩ ତାରିଖରେ ବାଂଲାଦେଶ ଉପକୂଳ କିମ୍ବା ବାଂଲାଦେଶ-ପଶ୍ଚିମବଙ୍ଗ ସୀମାନ୍ତ ଉପକୂଳ ଛୁଇଁବା ସମ୍ଭାବନା ଅଛି । ସେତେବେଳକୁ ବାତ୍ୟା ଦୁର୍ବଳ ହୋଇଯାଇପାରେ । ଓଡ଼ିଶା ଉପରେ ଏହାର ପ୍ରଭାବକୁ ନେଇ ଭିନ୍ନ ଭିନ୍ନ ଆକଳନ କରାଯାଉଛି। ଗୋଟିଏ ପକ୍ଷ କହୁଛନ୍ତି ଯେ, ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା କି ପବନ କିଛି ହେବନି । ଆଉ ଏକ ଆକଳନ ଅନୁଯାୟୀ ୨୩ ତାରିଖରେ ଉପକୂଳରେ ମଧ୍ୟମରୁ ପ୍ରବଳ ବର୍ଷା ଭୋଇପାରେ।
ଅପରପକ୍ଷରେ ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରକୋପ ଅସ୍ତବ୍ୟସ୍ତ କଲାଣି । ରାଜ୍ୟର ୫ଟି ସହରରେ ତାପମାତ୍ରା ମଙ୍ଗଳବାର ଓ ବୁଧବାର ଦିନ ପ୍ରାୟ ୩୯ ଡିଗ୍ରୀ ସେଲସିୟସ୍ ଟପିଥିଲା। ବୁଧବାର ଦିନ ସୋନପୁର, ବୌଦ୍ଧ, ବଲାଙ୍ଗିର, ଅନୁଗୁଳ, ସମ୍ବଲପୁର, ନୟାଗଡ଼, ଖୋର୍ଦ୍ଧା, ବାଲେଶ୍ୱର, ଝାରସୁଗୁଡ଼ା ଓ ମୟୂରଭଞ୍ଜରେ ଗ୍ରୀଷ୍ମ ଲହରୀ ପ୍ରବଳମାତ୍ରରେ ଅନୁଭୂତ ହୋଇଥିଲା। ତେଣୁ ସାଧାରଣ ଜନତାଙ୍କୁ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ କରାଇବା ସହ ଅଂଶୁଘାତ ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି ।
ସମ୍ଭାବ୍ୟ ବାତ୍ୟା ଆଶଙ୍କା ଘାରିଥିବାବେଳେ ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମଡି) କହିଛି, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଆସନ୍ତା ୨୪ ଘଣ୍ଟା ଭିତରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି। ଏହା ବାତ୍ୟା ରୂପ ନେବ କି ନାହିଁ, ସେ ନେଇ ଆଇଏମଡି ବୈଜ୍ଞାନିକ କିଛି ସ୍ପଷ୍ଟ କରିନାହାନ୍ତି ।