ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଭାରତୀୟ ହକିର ମୁଖ୍ୟ ପ୍ରାୟୋଜକ ରହିବ ଓଡିଶା ; ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସଂସ୍କାର : ଭାରତୀୟ ହକିକୁ ପୁଣି ଥରେ ଜାଗ୍ରତ କରିଛି ଓଡ଼ିଶା। ୨୦୧୮ ମସିହାରେ ଯେତେବେଳେ ଶାହାରା କମ୍ପାନୀ ଭାରତୀୟ ହକିର ( ଉଭୟ ପୁରୁଷ ଓ ମହିଳା ) ପୃଷ୍ଠପୋଷକତା ତଥା ପ୍ରାୟୋଜକ ତାଲିକାରୁ ଓହରି ଯାଇଥିଲା ଠିକ ସେହି ସମୟରେ ହକିକୁ ଆପଣାଇଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ଆଉ ଓଡିଶା ହକିର ମୁଖ୍ୟ ପ୍ରାୟୋଜକ ହେବାର ଠିକ ୩ ବର୍ଷ ପରେ ଟୋକିଓ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଛନ୍ତି ଭାରତୀୟ ହକିର ଉଭୟ ପୁରୁଷ ଓ ମହିଳା ଦଳ।

ଗୋଟିଏ ପଟେ ଟୋକିଓ ଅଲିମ୍ପିକ୍ସରେ ପୁରୁଷ ଦଳ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ, ଅନ୍ୟପଟେ ମହିଳା ହକି ଦଳ ସେମିଫାଇନାଲ ପର୍ଯ୍ୟନ୍ତ ପହଞ୍ଚିଥିଲା। ତେବେ ପୁଣି ଥରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭାରତୀୟ ହକିକୁ ଭରସା ଦେଇଛନ୍ତି। ସେ ଘୋଷଣା କରିଛନ୍ତି ଯେ, ”ଓଡ଼ିଶା ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଭାରତୀୟ ହକି (ଉଭୟ ପୁରୁଷ ଓ ମହିଳା ) ଦଳର ପ୍ରାୟୋଜକ ରହିବ’।

ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଥିବା ଭାରତୀୟ ପୁରୁଷ ଓ ମହିଳା ହକି ଖେଳାଳିଙ୍କ ପାଇଁ ମଙ୍ଗଳବାର ସଂଧ୍ୟାରେ ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ଆୟୋଜିତ ସ୍ବତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ପ୍ରତିଶ୍ରୁତି ଦେଇଛନ୍ତି ଯେ ଓଡ଼ିଶା ପୂର୍ବଭଳି ଭାରତୀୟ ହକିକୁ ସମସ୍ତ ପ୍ରକାର ସମର୍ଥନ, ସହଯୋଗ ଓ ପ୍ରୋତ୍ସାହନ ଯୋଗାଇଦେବ। ଫଳରେ ଟୋକିଓ ଅଲିମ୍ପିକ୍ସ ଭଳି ୨୦୨୪ ପ୍ୟାରିସ୍ (ଫ୍ରାନ୍ସ), ୨୦୨୮ ଲସ୍ ଏଞ୍ଜେଲ୍ସ (ଆମେରିକା) ଅଲିମ୍ପିକ୍ସ ଏବଂ ୨୦୩୨ ବ୍ରିସବେନ୍ (ଅଷ୍ଟ୍ରେଲିଆ) ଅଲିମ୍ପିକ୍ସରେ ମଧ୍ୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଓଡ଼ିଶାର ପୃଷ୍ଠପୋଷକତାରେ ଖେଳିବା ନିଶ୍ଚିତ ହୋଇଛି।

ଏଭଳି ଏକ ସ୍ବାଗତଯୋଗ୍ୟ ନିଷ୍ପତ୍ତି ନେଇ ଓଡ଼ିଶା ସରକାର ମଧ୍ୟ ଭାରତୀୟ କ୍ରୀଡ଼ାରେ ଆଉ ଏକ ନୂଆ ଧାରା ସୃଷ୍ଟି କରିଛନ୍ତି। ଏହା ପୂର୍ବରୁ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ୨୦୧୮ ମସିହାରେ ୫ ବର୍ଷ ପାଇଁ ଭାରତୀୟ ହକିର ପ୍ରାୟୋଜକ ହୋଇଥିଲା। ବର୍ତ୍ତମାନ ୨୦୩୩ ପର୍ଯ୍ୟନ୍ତ ଓଡ଼ିଶା ଭାରତୀୟ ହକି ଦଳର ମୁଖ୍ୟ ପ୍ରଯୋଜକ ରହିବ। ତେବେ ଭାରତୀୟ ମହିଳା ଓ ପୁରୁଷ ହକି ଦଳର ଅଲିମ୍ପିକ୍ସ ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା‌ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Leave a Reply

Your email address will not be published. Required fields are marked *