ସେଲ୍‌ଫି ନେଉ ନେଉ ନଦୀରେ ଖସି ପଡ଼ିଲେ ଯୁବତୀ : ନିର୍ବନ୍ଧ ସରିଥିଲା, ବିବାହ ଫେବୃଆରୀ ୧୬ ତାରିଖରେ ଥିଲା

ନୂଆବର୍ଷକୁ ପାଳନ କରିବା ଉଦ୍ଦେଶ୍ୟରେ ବଣଭୋଜି କରିବାକୁ ନିଜ ପରିବାର ସହିତ ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ ବାଲିଶଙ୍କରା ପଞ୍ଚାୟତ ଘୋଘର ଗାଁ ସ୍ଥିତ ଇବ୍‌ ନଦୀ ନିକଟ କନାକୁଣ୍ଡକୁ ଯାଇଥିଲେ ଯୁବତୀ । ସେଲଫି ନେଉ ନେଉ ଖସି ଗଲା ଗୋଡ଼ ଏବଂ ଚାହୁଁ ଚାହୁଁ ନଦୀର ପ୍ରଖର ସ୍ରୋତରେ ନିଖୋଜ ହୋଇଗଲେ କୁଆଡ଼େ । ମୁହୂର୍ତ୍ତକ ମଧ୍ୟରେ ଭୋଜି ମଉଜ ପାଲଟିଗଲା କାନ୍ଦବୋବାଳିରେ ।

ତେବେ ରାଜଗାଙ୍ଗପୁର ଅଞ୍ଚଳରୁ ନିଜ ପରିବାର ସାଙ୍ଗରେ ବଣଭୋଜି ପାଇଁ ଯାଇଥିବା ୨୭ ବର୍ଷୀୟ ଯୁବତୀ ଅନୁପମା ପ୍ରଜାପତିଙ୍କ ସହିତ ଘଟିଛି ଏହି ଅଭାବନୀୟ ଦୁର୍ଘଟଣା । ଅନୁପମା ଏବଂ ତାଙ୍କ ସାଙ୍ଗମାନେ ମିଶି ନଦୀରେ ଥିବା ସାତ ବଖରା ଦେଖିବାକୁ ଯାଇଥିଲେ । ଅନୁପମା ନିଜ ମୋବାଇଲରେ ସେଲ୍‌ଫି ନେଉଥିବା ସମୟରେ ଅସାବଧାନତା ଯୋଗୁ ନଦୀ ଭିିତରକୁ ଖସି ପଡ଼ିଥିଲେ ।

ଖବର ମିଳିବା ପରେ ବାପା, ମା’ ଓ ସାଙ୍ଗ ସାଥୀମାନେ ଘଟଣା ସ୍ଥଳକୁ ଦୌଡ଼ି ଆସିଥିଲେ । କାନ୍ଦବୋବାଳି ଆରମ୍ଭ ହୋଇ ଯାଇଥିବାବେଳେ ବାଲିଶଙ୍କରା ଅଗ୍ନିଶମ ବିଭାଗକୁ ସୂଚନା ମଧ୍ୟ ଦିଆଯାଇଥିଲା । ତେବେ ସୂଚନାଥାଉ ଯେ ନିଖୋଜ ଅନୁପମାଙ୍କ ନିର୍ବନ୍ଧ ହୋଇଥିବା ବେଳେ ଆସନ୍ତା ଫେବୃଆରୀ ମାସ ୧୬ ତାରିଖରେ ବିବାହ ହେବାର ଥିଲା ।

Leave a Reply

Your email address will not be published. Required fields are marked *