ସଂସ୍କାର : ରାଜ୍ୟରେ ସ୍କୁଲ ଖୋଲିବାକୁ ନେଇ କିଛି କଥା ଛିଡୁନାହିଁ। ଗୋଟିଏ ପଟେ ଅଷ୍ଟମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ସ୍କୁଲ , କଲେଜ ଯାଉଥିବା ବେଳେ, ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ କେବେ ବିଦ୍ୟାଳୟ ଯିବେ ତାହାକୁ ନେଇ ତର୍କବିତର୍କ ଆରମ୍ଭ ହୋଇଛି। ନିକଟରେ ସରକାର ଘୋଷଣା କରିଥିଲେ ଯେ, ଆସନ୍ତା ୧୪ ତାରିଖରୁ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ସ୍କୁଲ ଯିବେ। କିନ୍ତୁ ଗତକାଲି ଏହି ଘୋଷଣାରେ କିଛିଟା ପରିବର୍ତ୍ତନ କରିଛନ୍ତି।
ସରକାରଙ୍କର ନୂଆ ଘୋଷଣା ଅନୁଯାୟୀ, ୧୪ ନୁହେଁ ବରଂ ୨୮ ତାରିଖରୁ ସ୍କୁଲ ଆସିବେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ । ୧୪ ତାରିଖରେ ସ୍କୁଲ ଖୋଲିବ ଏବଂ କେବଳ ଶିକ୍ଷକ, ଶିକ୍ଷୟିତ୍ରୀ ସ୍କୁଲ ଆସିବେ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ । ଏ ସମ୍ପର୍କିତ ଏକ ନିର୍ଦ୍ଦେଶନାମା ବି ସେ ଜାରି କରିଛନ୍ତି ।
ରାଜ୍ୟ ସରକାର ଆସନ୍ତା ୧୪ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବା ନେଇ ଘୋଷଣା କରିଥିଲେ । ହେଲେ ଏନେଇ ଜିଲ୍ଲାପାଳମାନେ ଅଧିକ ସମୟ ମାଗିଥିଲେ । ଏତେ ଶୀଘ୍ର ସ୍କୁଲକୁ ସଫା ଓ ସରଞ୍ଜାମର ମରାମତି ପାଇଁ ଅଧିକ ସମୟ ଆବଶ୍ୟକ ବୋଲି ଜିଲ୍ଲାପାଳମାନେ କହିଥିଲେ । ତେଣୁ ଏହାକୁ ଦୃଷ୍ଟି ରଖି ଏବେ ସ୍କୁଲକୁ ୨୮ ତାରିଖରେ ପିଲାମାନେ ଆସିବେ ବୋଲି ନିଷ୍ପତ୍ତି ନିଆଯାଇଛି ।
ଅନ୍ୟପଟେ ରାଜ୍ୟରେ ଏବେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ତେଣୁ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀ ସେହି ସମୟରେ ପୋଲିଂ ଅଫିସର ଭାବେ ନିଯୁକ୍ତ ହେବେ , ତା ସହିତ ଅନେକ ସ୍କୁଲ ପୋଲିଂ ଷ୍ଟେସନ୍ ହେବାକୁ ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି ।