ସଂସ୍କାର : ଆସୁଛି ଆଉ ଏକ ଲଘୁଚାପ ଜନିତ ବର୍ଷା। ଆସୁଥିବା ଏହି ଲଘୁଚାପ ଯୋଗୁଁ ଆସନ୍ତା ୧୮ ତାରିଖରୁ ତିନିଦିନ ରାଜ୍ୟରେ ଲଗାଣ ବର୍ଷା ହେବ। ତେବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ନିକଟସ୍ଥ ମିଆଁମାର ଉପକୂଳରେ ଗୁରୁବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ। ତେବେ ସୃଷ୍ଟି ହୋଇଥିବା ଏହି ଘୂର୍ଣ୍ଣିବଳୟ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଚଳିତ ମାସ ୧୮ ତାରିଖ ବେଳକୁ ଉତ୍ତର ଓଡ଼ିଶା ଉପକୂଳରେ ପହଞ୍ଚିବ। ତେବେ ୧୮ ତାରିଖରେ ଏହି ଘୂର୍ଣ୍ଣିବଳୟ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ଲଘୁଚାପରେ ପରିଣତ ହେବା ପରେ ଏହାର ପ୍ରଭାବରେ ଶୁକ୍ରବାରଠାରୁ ପାଗ ମେଘୁଆ ରହିବା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହେବ । ୧୯ ତାରିଖ ବେଳକୁ ବର୍ଷାର ପରିମାଣ ବଢିବା ସହ ତିନି ଦିନ ଅଧା ଓଡ଼ିଶାକୁ ଭିଜାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦେଇଛି ଯେ, ଚଳିତ ମାସ ୧୮ ତାରିଖରେ ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହେବ । ସେହିପରି ୧୯ ତାରିଖ ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ ଓ ଖୋର୍ଦ୍ଧାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ୨୦ ତାରିଖରେ ଉତ୍ତର- ପଶ୍ଚିମ ଓଡ଼ିଶାର ୫ ଜିଲ୍ଲାରେ ଅଧିକ ବର୍ଷା ହେବ। ସୁନ୍ଦରଗଡ, ଝାରସୁଗୁଡ଼ା, ବରଗଡ, ଦେବଗଡ ଓ ସମ୍ବଲପୁରରେ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଅନ୍ୟପଟେ ନିକଟରେ ହୋଇଥିବା ଲଘୁଚାପ ଜନିତ ବର୍ଷା କାରଣରୁ ରାଜ୍ୟରେ ଥିବା ନଦୀ ଗୁଡିକର ଜଳପତ୍ତନ ବୃଦ୍ଧି ପାଇଛି। ତେଣୁ ଆଗକୁ ଆସୁଥିବା ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିପାରେ ବୋଲି ଜଣାପଡିଛି। ତେବେ ଏହାର ମୁକାବିଲା ପାଇଁ କେନ୍ଦ୍ରାପଡା, କଟକ, ପୁରୀ ଓ ଭଦ୍ରକରେ ୪ଟି ଏନ୍ଡିଆର୍ଏଫ୍ ଟିମ୍କୁ ମୁତୟନ କରାଯାଇଛି । ପ୍ରତି ଟିମ୍ରେ ୨୫ଜଣ ଲେଖାଁଏ କର୍ମଚାରୀ ରହିଛନ୍ତି। ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି।