ଓଡ଼ିଆ ଆଲବମରୁ ନିଜର କ୍ୟାରିୟର ଆରମ୍ଭ କରି ଓଡ଼ିଆ ସିନେ ଜଗତରେ ପ୍ରତିଷ୍ଠା ପାଇବା ଓ ପରେ ପରେ ଜଣେ ଯୁବ ରାଜନେତା ହିସାବରେ ପ୍ରଖ୍ୟାତି ଅର୍ଜନ କରିବା ଛୋଟ କଥା ନୁହେଁ । ଆଜ୍ଞା ହଁ, କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ କଥା ହିଁ ଏଇଠି କୁହାଯାଉଛି । ତେବେ ଏଇ କିଛି ଦିନ ହେବ ସେ ତାଙ୍କ ପତ୍ନୀଙ୍କ ସଙ୍ଗୀନ ଅଭିଯୋଗର ଜଣେ ଆରୋପୀ । ସେପଟେ ଅନୁଭବ ବି ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଠାରୁ ବିବାହ ବିଚ୍ଛେଦ ପାଇଁ ଦିଲ୍ଲୀ କୋର୍ଟରେ ଆବେଦନ କରିଛନ୍ତି । ଏ ବାଦବିବାଦ ଭିତରେ କିନ୍ତୁ ଅନୁଭବଙ୍କ ସପକ୍ଷରେ ନିଜର ମତ ରଖିଛନ୍ତି କୁନି ଅଭିନେତ୍ରୀ ପ୍ରକୃତି ମିଶ୍ର ।
ଗତକାଲି ସୋସିଆଲ ମିଡ଼ିଆରେ ଅଭିନେତା ତଥା ଘରୋଇ ହିଂସା ଆରୋପୀ ଅନୁଭବ ମହାନ୍ତି ତାଙ୍କ ଘରେ ହୋଇଥିବା ଚଳିତ ବର୍ଷ ଗଣେଶ ପୂଜାର ଏକ ଭିଡ଼ିଓ ଶେୟାର କରିଥିଲେ । ଭିଡ଼ିଓ ଶେୟାର କରି ସେ ଟ୍ଵିଟ କରି ଲେଖିଥିଲେ ଯେ ଦୟାକରି ସାମାନ୍ୟ ଧର୍ଯ୍ୟ ରଖନ୍ତୁ ଏବଂ ଏହି ଭିଡ଼ିଓ ଦେଖନ୍ତୁ । ଏହି ଭିଡ଼ିଓ ମାନ୍ୟବର କେହି ଜଣେ ଘରୋଇ ହିଂସାକୁ ସାମ୍ନା କରୁଛନ୍ତି ବୋଲି କୌଣସି ପ୍ରକାର ଦର୍ଶାଉଛି କି ?!?!?!?!? ମାନ୍ୟବର ଏହି ବ୍ୟକ୍ତି ମୋର ପିତାମାତାଙ୍କ ଘରେ ମୋର ମଧୁର ପରିବାର ସହିତ ଶ୍ରୀଗଣେଶ ଚତୁର୍ଥୀ ୨୦୨୦ ପାଳନ କରୁଛନ୍ତି ।
ଏହି ଭିଡ଼ିଓରେ ଅଭିନେତ୍ରୀ ପ୍ରକୃତି ମିଶ୍ର ରିଟ୍ୱିଟ୍ କରି ଲେଖିଛନ୍ତି ଯେ ପ୍ରିୟ ଫପୁନ ଭାଇ, ଯେଉଁମାନେ ଆପଣଙ୍କୁ ଘନିଷ୍ଠ ଭାବରେ ଜାଣିଛନ୍ତି, ସେମାନେ ପୂରା ଘଟଣା ଜାଣିଛନ୍ତି । ଆପଣ ଜଣେ ସମ୍ମାନୀୟ ବ୍ୟକ୍ତି ଏବଂ କାହାକୁ ସଫେଇ ଦେବା ଦରକାର ନାହିଁ । ଦୁନିଆ ସାରା ଯିଏ ଯାହା କହୁ, ସତ ଶୀଘ୍ର ପ୍ରକଟ ହେବ । ଆପଣ ଶକ୍ତ ହୋଇ ରୁହନ୍ତୁ । ଆମେ ଆପଣଙ୍କ ସହିତ ଅଛୁ ।

ତେବେ ପ୍ରକୃତିଙ୍କ ରିଟ୍ୱିଟ୍ ପରେ ଅଭିନେତା ଅନୁଭବ ମହାନ୍ତି ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ସେ ଟ୍ଵିଟ କରି ଲେଖିଛନ୍ତି ଯେ ତୁମକୁ ଅଜସ୍ର ଧନ୍ୟବାଦ ଓ ଅପାର ଭଲପାଇବା ପ୍ରକୃତି । ଭଗବାନ ତୁମକୁ ଅଧିକ ସଫଳତା ଓ ଶକ୍ତି ଦିଅନ୍ତୁ ।