ସଂସ୍କାର : ବିହାରର ଜାମୁଇ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକରେ ଥିବା ଗୋଟିଏ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୁଇ ମହିଳା ସ୍ୱାସ୍ଥ୍ୟକର୍ମୀ ହାତାହାତି ହୋଇଛନ୍ତି। ଭିଡିଓରେ ଦୁଇ ମହିଳା ସ୍ୱାସ୍ଥ୍ୟକର୍ମୀ ଚୁଟି ଧରାଧରି ହୋଇ ମାରପିଟ ହେଉଥିବା ବେଳେ ଜଣେ ବ୍ୟକ୍ତି ସେମାନଙ୍କୁ ରୋକିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି। ତେବେ ସେମାନେ କାହା କଥା ନଶୁଣି ପରସ୍ପରକୁ ସ୍ଲିପର ଓ ହାତରେ ଆକ୍ରମଣ କରି ଚାଲିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ମାତ୍ର ୫୦୦ ଟଙ୍କା ପାଇଁ ପରସ୍ପରର ଚୁଟି ଘୋଷାଡ଼ି ମାରପିଟ ହୋଇଛନ୍ତି ଦୁଇ ମହିଳା ସ୍ୱାସ୍ଥ୍ୟକର୍ମୀ। ଏହି ମାରପିଟ ବେଳର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ବିହାରର ଜାମୁଇ ଜିଲ୍ଲାରେ ଥିବା ଗୋଟିଏ ହସ୍ପିଟାଲରେ ଏପରି ଘଟଣା ଘଟିଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ହସ୍ପିଟାଲ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।
ରବିବାର ଆଶାକର୍ମୀ ରିଣ୍ଟୁ କୁମାରୀ ଜଣେ ନବଜାତଙ୍କୁ ଏଏନଏମ ରଞ୍ଜନା କୁମାରୀଙ୍କ ପାଖକୁ ବିସିଜି ଟିକା ଦେବାକୁ ନେଇଥିଲେ। ତେବେ ଟିକା ପାଇଁ ରଞ୍ଜନା ୫୦୦ ଟଙ୍କା ଦାବି କରିଥିଲେ। ଏଥିରେ ରିଣ୍ଟୁ କୁମାରୀ ରାଜି ହୋଇ ନଥିଲେ। ଏହାକୁ ନେଇ ପ୍ରଥମେ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।
ଏହାପରେ ସ୍ତ୍ରୀ ଓ ପ୍ରସୁତି ବିଭାଗ ନିକଟରେ ଉଭୟ ପରସ୍ପରକୁ ଆକ୍ରମଣ କରିଥିଲେ। ଦୀର୍ଘ ସମୟ ଧରି ସମସ୍ତଙ୍କ ସାମ୍ନାରେ ଏହି ମାରପିଟ ଡ୍ରାମା ଚାଲିଥିଲା। ଶେଷରେ ଉପସ୍ଥିତ ଲୋକ ଓ ଅନ୍ୟ କର୍ମଚାରୀଙ୍କ ହସ୍ତକ୍ଷେପ ପରେ ଉଭୟଙ୍କୁ ଶାନ୍ତ କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ହସ୍ପିଟାଲରେ ବରିଷ୍ଠ ଅଧିକାରୀମାନେ ସେଠାରେ ପହଞ୍ଚିଥିଲେ। ଏବେ ପୂରା ଘଟଣାର ଯାଞ୍ଚ କରାଯାଉଛି। ହେଲେ କାହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି।