ଭୋକର ଭିଡ଼ିଓ ହେଲା ଭାଇରାଲ୍ : ମରି ପଡ଼ିଥିବା କୁକୁରର ଅନ୍ତବୁଜୁଳା ଖାଇଗଲା ଜଣେ ଭୋକିଲା

ମଇ ୨୪ ତାରିଖରେ ସୋସିଆଲ ମିଡ଼ିଆରେ ଗୋଟେ ଭିଡ଼ିଓ ଖୁବ୍ ଭାଇରାଲ୍ ହେଲା । ଭିଡ଼ିଓରେ ଏମିତି ଏକ ଦୃଶ୍ୟ ଥିଲା ଯାହାକୁ ଦେଖିଲେ କେବଳ କୋହ ସୀମା ଭାଙ୍ଗିବନି, ଥରିଉଠିବ ଅସ୍ଥି ଆଉ ମଜ୍ଜା । ବାନ୍ତି ମାଡ଼ିବ । ପିଞ୍ଜରା ତଳୁ କେହିଜଣେ ହାତ ଠାରି ପଚାରିବ, ସତରେ କ’ଣ ଭୋକ ମଣିଷକୁ ଅମଣିଷ କରିଦିଏ ? ମନେ ପଡ଼େ ଭୋକକୁ ନେଇ କେଇ ପଦ :

“ଭୋ, ରାଜନ

ଭୋକ ଦେଖିଛ ଭୋକ ?”

ହଁ, ହଁ ଭୋକ …. !!!

ସେଇ ଭୋକକୁ ଦେଖି ହୁଏନା,

ଦେଖେଇ ହୁଏ କେବଳ ଭୋକିଲାର ଡହଳ ଆଖିକୁ

କିଛି ଗୋଟେ ଟାଉଟାଉ କରି ଗିଳି ଗର୍ଭସ୍ଥ କରିବାର ଅଦମ୍ୟ ଇଚ୍ଛାକୁ

ଭୋକର ହାହାକାରକୁ ଦେଖେଇ ହୁଏ ଦର୍ଶକମାନଙ୍କୁ

ଦେଖେଇ ହୁଏ ସହଯୋଗକୁ ପୁଣି ପ୍ରତ୍ୟାଖ୍ୟାନକୁ ଆଉ ଅସହାୟପଣକୁ

ହେଲେ କେବେ ଦେଖି ହୁଏନା ସେ

ରୋହିଜଳା ଭୋକକୁ …. !!!

ଭୋକବେଳେ ତ ଭୋକିଲା ରୁହେନି ?

ରୁହେ ଗବଗବ ଫୁଟନ୍ତା ଭୋକର ତାତ … 

ଦରକାର ପଡ଼ିଲେ ଯଉଥିରେ ଜଳିଯାଏ ଖାଦ୍ୟର ସଜ୍ଞା !

ସେଇ ତାତର ତାତିରେ ପୋଡ଼ିଯାଏ ଅନୁଚିତର ସବୁ ସୀମା !

ତାଳୁରୁ ତଳିପା ଯାଏଁ ଖାଲି ଭୋକର ଚୁମା,

ଏବେଳେ ଭୋକିଲା, ପାଖରେ ଥାଏ ଖାଲି ଭୋକ ମେଣ୍ଟାଇବା ଜିଜ୍ଞାସା । 

ଦିନ ଦ୍ଵିପ୍ରହର ସମୟ । ଦିଲ୍ଲୀ-ଜୟପୁର NHର ଚଉଡ଼ା ପିଚୁ ରାସ୍ତା କଡ଼ରେ କେଉଁ ଏକ ବଡ଼ ଗାଡ଼ି ତଳେ ଚାପି ହେଇ ମରିପଡ଼ିଛି ଗୋଟେ କୁକୁର । ଅନ୍ତବୁଜୁଳା ତାର ବାହାରି ପଡ଼ିଛି ପଦାକୁ । ସଦ୍ୟ ମରିଚି କି କେଇ ଘଣ୍ଟା ତଳୁ କେଜାଣି, ହେଲେ ଜଣେ ଯୁବକ ତାକୁ ଟାଣିଓଟାରି ଖାଇ ଚାଲିଛି ।

ବାଟଚଲା ପଥିକ କେହିଜଣେ ଏ ଦୃଶ୍ୟ ଦେଖି ଅଟକି ଯାଏ । ଏ କଣ କରୁଛୁ ବୋଲି ତାକୁ ଡାକି ପଚାରେ । ଏ କରୋନା ସଙ୍କଟ ଭିତରେ ବି ମାନବିକତା ଦେଖେଇ ତାକୁ ଖାଇବାକୁ ଦିଏ, ପାଣି ଦିଏ ପିଇବାକୁ । ପଚାରେ ସେ ଭୋକିଲାକୁ କେବେଠୁ ଖାଇନୁ ? ତୁ କଉଠିକାର ଲୋକ ? କିନ୍ତୁ ଭୋକିଲା କି କିଛି ପ୍ରଶ୍ନ ବୁଝେ ! ତା ପାଇଁ ପ୍ରଶ୍ନ ବି ଭୋକ ଆଉ ଉତ୍ତର ବି ଭୋକ ସେ ସମୟରେ । ସାହାଯ୍ୟ କରିଥିବା ଲୋକ ହିଁ ଭିଡ଼ିଓ କରିଥିଲେ ଓ ତାଙ୍କ କହିବାନୁଯାୟୀ ସେ ଦିଲ୍ଲୀ ଫେରୁଥିବା ରାସ୍ତାରେ ଏ ଦୃଶ୍ୟ ଦେଖିଥିଲେ ।

Leave a Reply

Your email address will not be published. Required fields are marked *