ସିନ୍ଥେଟିକ୍ ପନିର ବିକ୍ରିର ହେଲା ପର୍ଦ୍ଦାଫାଶ : ଜଣେ ବ୍ୟବସାୟୀ ଗିରଫ

ଏକ କ୍ୱିଣ୍ଟାଲରୁ ଅଧିକ ସିନ୍ଥେଟିକ୍ ପନିର ଜବତ କରିବା ସହିତ ଚାଉଳିଆଗଞ୍ଜ ପୋଲିସ ଗିରଫ କରିଛି ଜଣେ ଅଭିଯୁକ୍ତକୁ । ଶୁକଦେବ ସାହୁ ନାମକ ଜଣେ ଜଣେ ବ୍ୟବସାୟୀଙ୍କୁ କଟକରୁ ଗିରଫ କରିଛି ପୋଲିସ । ୨୭୨, ୨୭୩, ୪୨୦, ୩୪ IPC ଏବଂ ଖାଦ୍ୟ ନିରାପତ୍ତା ଆଇନର ୫୧, ୫୨, ୫୩ ଏବଂ ୫୯ ଦଫା ଲଗାଯାଇଛି ଅଭିଯୁକ୍ତ ଉପରେ । ସେହିଭଳି ଯେଉଁ ଦୋକାନୀମାନେ ଏହି ସିନ୍ଥେଟିକ୍‌ ପନିର କିଣୁଥିଲେ ସେମାନଙ୍କ ଦୋକାନରେ ମଧ୍ୟ ଚଢାଉ କରିବାକୁ ଯୋଜନା ରଖିଛି ପୋଲିସ ।

ତେବେ ଏ କାରବାରରେ କେବଳ ଜଣେ ନୁହେଁ ଅନ୍ୟ କିଛି ଲୋକଙ୍କ ସଂପୃକ୍ତି ମଧ୍ୟ ରହିଥିବା କଥା କୁହାଯାଉଛି । ଏ ସମୟରେ ପୋଲିସ ୨/୩ ଜଣଙ୍କୁ ଚିହ୍ନଟ ମଧ୍ୟ କରିସାରିଛି ମାତ୍ର ଗିରଫ କରିପାରିନି ବୋଲି ସୂଚନା ମିଳିଛି ।

ସୂଚନାନୁଯାୟୀ ଦୀର୍ଘ ଦିନ ହେଲା କଟକ ତଥା ତାର ଆଖପାଖ ଅଞ୍ଚଳ ସମେତ ନିକଟରେ ଥିବା ଜିଲ୍ଲା ଗୁଡ଼ିକରେ ମଧ୍ୟ ଏହି ନକଲି ପନିର କାରବାର ଖୁଲମଖୁଲା ଚାଲି ଆସୁଥିଲା । ଏହି ସିନ୍ଥେଟିକ୍‌ ପନିରକୁ ୬୦ ଟଙ୍କା କିଲୋରେ କିଣି ୨୨୦ ଟଙ୍କାରେ ବିକ୍ରି କରୁଥିଲେ କିଛି ଅସାଧୁ ବ୍ୟବସାୟ । ନାନା ପ୍ରକାର କେମିକାଲ ମିଶାଇ ଏହା ତିଆରି ହେଉଥିବା କାରଣରୁ ୨ରୁ ୩ ଦିନ ଯାଏଁ ସମ୍ପୂର୍ଣ୍ଣ ଫ୍ରେସ୍ ରହୁଥିଲା ବି ଏହି ପନିର ।

ଖବର ମୁତାବକ ଗତକାଲି ଭୋର ୪ଟାରେ କଲିକତାରୁ ଆସି କଟକରେ ପହଞ୍ଚିଥିଲା ଗୋଟିଏ ବସ । ସେହି ବସ‌କୁ ଓଏମ୍‌ପି ଛକରେ ଅଟକାଇଥିଲା କମିଶନରେଟ୍‌ ପୁଲିସ ଓ କଟକ ମହାନଗର ନିଗମ(ସିଏମ୍‌ସି) ଟିମ୍ ଏବଂ ଯାଞ୍ଚ ମଧ୍ୟ କରିଥିଲା ‌। ବସ‌ ଡିକିରୁ ମିଳିଥିଲା ବ୍ୟାରେଲ ଭର୍ତ୍ତି ପନିର ଯାହାର ଓଜନ ଏକ କ୍ୱିଣ୍ଟାଲ୍‌ରୁ ଅଧିକ ଥିଲା ।

ସତେଜ, ସଫା ଧଳା ଓ ଚକାଚକ ଦିଶୁଥିବା ପନିର ନକଲି ବୋଲି ଜଣାପଡ଼ିଥିଲା । ଲୁଗାସଫା ଡିଟରଜେଣ୍ଟ, ମଇଦା, ୟୁରିଆ, ଗ୍ଲିସେରିନ, ସଲଫ୍ୟୁରିକ ଏସିଡ୍‌ ଓ କିଛି ନଷ୍ଟ ହୋଇଯାଇଥିବା କ୍ଷୀର ଆଦିକୁ ମିଶାଇ ଏହି ପନିର ତିଆରି କରାଯାଇଥିଲା, ଯାହାକୁ ଦେଖିଲେ ସହଜରେ ନକଲି ବୋଲି ଜାଣି ହେବ ନାହିଁ ବୋଲି କହିଥିଲେ ଅଭିଯୁକ୍ତ । ସୂଚନାଥାଉ ଯେ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *