ସାଙ୍ଗକୁ ବଂଚାଇବାକୁ ଯାଇ ଜଣକ ପରେ ଜଣେ ୫ ଜଣ ଶିଶୁ କନ୍ୟା ପାଣିରେ ବୁଡ଼ି ମୃତ

ସଂସ୍କାର : ସାଙ୍ଗ ପାଣିରେ ବୁଡିଯାଉଥିବା ଦେଖି ତାକୁ ବଂଚାଇବାକୁ ଯାଇ ଜଣକ ପରେ ଜଣେ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ଏହି ଅଭାବନୀୟ ଘଟଣାରେ ୫ ଜଣ ଶିଶୁକନ୍ୟାଙ୍କର ମୃତ୍ୟୁ ହୋଇଛି । ଏହି ଅଭାବନୀୟ ଘଟଣା ଘଟିଛି ବିହାରରେ। ବିହାରର ପୂର୍ବ ଚମ୍ପାରଣ ଜିଲ୍ଲା ରାମଗଢ଼ୱା ଥାନା ଅଂଚଳରେ ଗତ ମଙ୍ଗଳବାର ଦିନ ଏହି ଅଘଟଣଟି ଘଟିଛି।

ଏକ ଜଳପୂର୍ଣ୍ଣ ଗର୍ତ୍ତରେ ପଡ଼ି ଏହି ୫ ଜଣ ଶିଶୁ କନ୍ୟାଙ୍କର ମୃତ୍ୟୁ ହୋଇଛି। ତେବେ ଗର୍ତ୍ତ ଭିତରୁ ସମସ୍ତ ୫ ଜଣ ଶିଶୁକନ୍ୟାଙ୍କର ମୃତଦେହ ଉଦ୍ଧାର କରାଯାଇ ଶବ ସତ୍କାର କରାଯାଇଛି।ମୃତକମାନେ ହେଲେ ସୀମା କୁମାରୀ (୮) ଓ କୌଶଲ୍ୟା କୁମାରୀ (୧୦), ସୁଗୀ କୁମାରୀ (୧୨), ସଂଗୀତା କୁମାରୀ (୧୦) ଓ ଶୋଭା କୁମାରୀ (୧୨) । ବର୍ତ୍ତମାନ ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଦୁର୍ଘଟଣା ସମ୍ପର୍କରେ ଜଣେ ପୋଲିସ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ, ଶିବପୁର ବୀରତା ଗାଁର ୫ ଜଣ ଶିଶୁକନ୍ୟା ଛେଳି ଚରାଇବାକୁ ଯାଇଥିଲେ । ଛେଳି ଚରାଇବା ସମୟରେ ଏକ ପୋଖରୀ କୂଳରେ ଜଳପୂର୍ଣ୍ଣ ଥିବା ଗାତରେ ସ୍ନାନ କରିବାକୁ ପ୍ରବେଶ କରିଥିଲେ । ଏହି ସମୟରେ ଜଣେ ଶିଶୁର ପାଦ ଖସି ଯାଇଥିଲା । ଫଳରେ ପାଣି ଭିତରରୁ ବାହାରି ପାରି ନଥିଲେ । ପାଣିରେ ବୁଡ଼ି ଯାଉଥିବା ଦେଖି ଅନ୍ୟ ଜଣେ ଶିଶୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ସେ ମଧ୍ୟ ପାଣିରେ ବୁଡ଼ିଯାଇଥିଲା । ଏହି ପରି ଭାବରେ ଜଣକ ପରେ ଜଣେ ପାଣିରେ ବୁଡ଼ିଯାଇ ନିଜର ପ୍ରାଣ ହରାଇଛନ୍ତି।

Leave a Reply

Your email address will not be published. Required fields are marked *