କରୋନା ସଂକ୍ରମଣ ଥମିବାର ନାଁ ନେଉ ନଥିବାବେଳେ ଅନଲକ ୫ ଆରମ୍ଭ ହୋଇସାରିଛି । ତେବେ ଜୀବନ ଓ ଜୀବିକା ଉଭୟକୁ ଦୃଷ୍ଟିରଏ ରଖିବା ସହିତ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ମଧ୍ୟ ବିଧେୟ । ଆସନ୍ତୁ ଜାଣିବା ତେବେ କେମିତି ଘରେ ରହି ମଧ୍ୟ ଆପଣ ନିଜର କରୋନା ପରୀକ୍ଷା କରାଇପାରିବେ । ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ଘରେ ଥିବା ହାଣ୍ଡିଶାଳରୁ ନିଶ୍ଚିତ କରିପାରିବେ ଆପଣ କରୋନା ପଜିଟିଭ କି ନୁହେଁ ।
ଚଣ୍ଡିଗଡ ପୋଷ୍ଟ ଗ୍ରାଜ୍ୟୁଏଟ ଇନିଷ୍ଟଚ୍ୟୁଟ ଅଫ ମେଡିକାଲ ଏଜୁକେସନ ଏଣ୍ଡ ରସର୍ଚ୍ଚର ଗବେଷକମାନଙ୍କ କହିବାନୁସାରେ ଯଦି ନିହାତି ଆବଶ୍ୟକ ହୁଏ ତେବେ କରୋନା ପରୀକ୍ଷଣ ହେଉଥିବା ସ୍ଥାନକୁ ଯାଇ କରୋନା ଟେଷ୍ଟ କରାନ୍ତୁ, ନଚେତ ଅଯଥା ଧାଡ଼ି ବାନ୍ଧି ଠିଆ ହେବାର କୌଣସି କାରଣ ନାହିଁ । ନ୍ୟାସନାଲ ଏଗ୍ରି-ଫୁଡ ବାୟୋଟେକ୍ନୋଲଜି ମହାଲୀ ଏବଂ ଚଣ୍ଡିଗଡ PGIMR ଗବେଷକମାନେ ଦେଇଥିବା ସୂଚନା ଅନୁସାରେ ଲୋକେ କରୋନା ସଂକ୍ରମିତ ହେବା ସହିତ ଏନୋସ୍ମିଆ ଅର୍ଥାତ ଗନ୍ଧ ବାରିବା କ୍ଷମତା ହରାଉଛନ୍ତି ।
ପ୍ରଥମ କରି ଏ ତଥ୍ୟ ସାମ୍ନାକୁ ଆସିବା ପରେ ଅନୁନ୍ୟ ୧୦୦ ଜଣଙ୍କୁ ସାମିଲ କରି ଗବେଷକମାନେ କରୋନା ସନ୍ଦିଗ୍ଧ ଲୋକଙ୍କୁ ରସୁଣ, ପୁଦିନା, ଅଳେଇଚ, ନଡ଼ିଆ ତେଲ ଏବଂ ପାନମଧୁରୀ ଆଦି ସୁଂଘିବାକୁ ଦେଇଥିଲେ । ତେବେ ଅଧିକାଂଶ କରୋନା ଆକ୍ରାନ୍ତ ଗନ୍ଧ ବାରିବାର କ୍ଷମତା ହରାଇ ସାରିଥିଲେ ବୋଲି ଜଣା ପଡ଼ିଥିଲା । ସମ୍ପୂର୍ଣ୍ଣ ଆଘ୍ରାଣ ଶକ୍ତି ହରାଇ ନଲେ ସତ ମାତ୍ର ଗନ୍ଧ ବାରିବାର ତୀବ୍ରତା ଖୁବ୍ କମି ଯାଇଥିଲା ।
ସୂଚନା ଅନୁଯାୟୀ ତେଣୁ କରୋନା ଆକ୍ରାନ୍ତ ବ୍ୟକ୍ତି ଦୁଇଟି ନିର୍ଦ୍ଧଷ୍ଟ ଜିନିଷର ଗନ୍ଧ ବାରିବାରେ ଅସମର୍ଥ ହୋଇଥିଲେ ଯାହା ହେଉଛି ନଡ଼ିଆ ତେଲ ଓ ପୁଦିନାର ବାସ୍ନା । ଯେଉଁମାନେ ଏହି ଗନ୍ଧ ବାରି ପାରିନଥିଲେ ସେମାନେ ପରବର୍ତ୍ତୀ ମୂହୁର୍ତ୍ତରେ କରୋନା ପଜିଟିଭ ବୋଲି ପ୍ରମାଣିତ ହୋଇଥିଲେ । ଏହିପରି ଭାବରେ ସଂକ୍ରମଣକୁ ନେଇ ଚିନ୍ତିତ ଥିଲେ ଘରେ ଥାଇ ଆପଣ ନିଜର ତଥା ପରିବାର ସଦସ୍ୟଙ୍କ ପରୀକ୍ଷଣ କରାଇପାରିବେ । ଯଦି ଉପରୋକ୍ତ ସାମଗ୍ରୀରୁ କେଉଁ ଗୋଟିକର ବି ଗନ୍ଧ ବାରି ପାରୁନାହାନ୍ତି ତେବେ ଜାଣନ୍ତୁ ସେ କରୋନା ପଜିଟିଭ । ତୁରନ୍ତ ତାଙ୍କୁ ଆଇସୋଲେସନରେ ରଖିବା ସହିତ ଆବଶ୍ୟକୀୟ ଚିକିତ୍ସା ପ୍ରତି ଧ୍ୟାନ ଦିଅନ୍ତୁ । ଏହାବ୍ୟତୀତ ଚିକିତ୍ସାଳୟ ଯାଇ ଥରେ ଟେଷ୍ଟିଂ କରାଇ ନେବା ଉଚିତ ।